ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ, ୨୫ ହଜାର ଜରିମାନା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଧିନ ଜମ୍ବୁ ଗ୍ରାମର ଜଣେ ଦୁଷ୍କର୍ମକାରୀଙ୍କୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନାରା ୧୦ବର୍ଷ ଜେଲ ଓ ୨୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ୨୦୦୯ ମସିହା ମାର୍ଚ୍ଚ ୨ ତାରିଖ ରାତି ୧୨ଟା ସମୟରେ ସେହି ଗ୍ରମାର ଜଣେ ମହିଳା ଘରେ ଏକୁଟିଆ ଥିବାବେଳେ ତାଙ୍କ ସ୍ୱାମୀ ମାଛ ମାରିବାକୁ ଯାଇଥିଲେ । ଏହାରି ସୁଯୋଗରେ ସେହି ଗ୍ରାମର ବାସୁ ଦାସ ବୟସ ୪୪ ମିଛ ବାହାନା କରି କଣ ଗୋଟିଏ କାମୁଡି ଦେଲା କହି ସଂପୃକ୍ତ ମହିଳାଙ୍କ ଘର କବାଟ ବାଡେଇ ଖୋଲିବା ପାଇଁ କହିଥିଲା । ମହିଳା ଜଣକ କବାଟ ଖୋଲିବା ପରେ ବାସୁ ହଠାତ୍ ଗାମୁଛାରେ ସଂପୃକ୍ତ ମହିଳାଙ୍କ ପାଟିକୁ ମାଡି ଧରି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏନେଇ ମହାକାଳପଡା ଥାନାରେ ଅଭିଯୋଗ ହେବାପରେ ସେସନ୍ସ ଟ୍ରାଏଲ କେସ ନଂ-୯୪/୨୦୧୩ ରେ ମାମଲା ବିଚାର କରାଯାଇ ୭ ଜଣଙ୍କର ସାକ୍ଷ୍ୟ ପ୍ରମାଣ ଆଧାରରେ ଦପା ୩୪୧/୫୦୬/୩୭୬ ଆଇପିସି ରେ ଆସାମୀକୁ ମାନ୍ୟବର ଜଜ ୧୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦାୟ ଅଧିକ ୯ ମାସ ଜେଲ ଦଣ୍ଡ ଦିଆଯାଇଛି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସଂଜୟ କୁମାର ଜେନା ମାମଲା ପରିଚାଳନା କରିଥିଲେ ।
