ଗରମ କରୁଥିବା ବେଳେ ଫାଟିଲା କ୍ଷେପଣାସ୍ତ୍ରର ଭଗ୍ନାବଶେଷ : ଜଣେ ମୃତ ଓ ଜଣେ ଗୁରୁତର
ଚାନ୍ଦବାଲି : କ୍ଷେପଣାସ୍ତ୍ରର ଭଗ୍ନାବଶେଷରୁ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ମୃତ ଓ ଜଣେ ଗୁରୁତର । କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଗରମ କରୁଥିବା ବେଳେ ବିସ୍ଫୋରଣ ହୋଇଥିବା ସନ୍ଦେହ । ଏମିତି ଘଟଣା ଦେଖିବାକୁ ମିଳିଛି ଧାମରା ଥାନା ଅଧିନ ଧାମରା ବଜାର ଏକ କବାଡିଆ ଦୋକାନରେ। ଏହି ରାସାୟନିକ ବିସ୍ଫୋରଣରେ ୨ ଜଣ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ସଂକଟାପନ୍ନ ଥିଲା । ସଂଗେ ସଂଗେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନା ଯେ, ବୁଧବାର ସନ୍ଧ୍ୟା ସମୟରେ ଉକ୍ତ ଦୋକାନ ମଧ୍ୟରେ କଇଥଖୋଲା ବାସିନ୍ଦା ସେକ କଇମତ ଏବଂ କେନ୍ଦ୍ରାପଡା ଜିଲା ତାଳଚୁଆ ଗ୍ରାମର ହରିହର ରଣା, ସତ୍ୟେନ କାମିଳିଆଙ୍କ ଗୋଦାମ ଘରେ ବିଭିନ୍ନ କେମିକାଲସରେ କାମ କରୁଥିବାବେଳେ ସେଥି ମଧ୍ୟରେ ଥିବା ଏକ ଅଫୁଟା କ୍ଷେପଣାସ୍ତ୍ରର କିଛି ଅଂଶକୁ ଗରମ କରୁଥିବାବେଳେ ସେଥି ମଧ୍ୟରୁ କେମିକାଲସ ବିସ୍ଫୋରଣ ହୋଇଥିଲା । ଫଳରେ କାର୍ଯ୍ୟ କରୁଥିବା ହରିହର ରଣାଙ୍କ ଡାହାଣ ଗୋଡ ସଂପୂର୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ସେକ କଇମତଙ୍କ ଶରୀର ସଂପୂର୍ଣ ପୋଡି ଯାଇଥିଲା । ଏହି ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ କିଛି ନିଆଁ ବାହାରି ଯାଇ ନିକଟସ୍ଥ ଦୋକାନ ମଧ୍ୟରେ ପଡିଥିଲା । ଘଟଣା ଘଟିବା ପରେ ସ୍ଥାନୀୟ ଦୋକନୀ ଯାଇ ସେକ କଇମତ ଏବଂ ହରିହର ରଣାକୁ ଉଦ୍ଧାର କରି ପ୍ରଥମେ ଧାମରା ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକକୁ ସ୍ଥାନାନ୍ତରିତ କରିଥିଲେ।
