ନିମ୍ନ ମାନର ରାସ୍ତାର କାର୍ଯ୍ୟ ହେଉଥିବା ଅଭିଯୋଗ ପରେ ମଧ୍ୟ ଆସୁନାହିଁ ସୁଧାର , ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ
ଯୋଡ଼ା : ରାଷ୍ଟ୍ରାୟତ ଉଦ୍ୟୋଗ ତଥା ମହାରତ୍ନ କମ୍ପାନୀ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) ଅନ୍ତର୍ଗତ ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ତ ଓଡିଶା ଖଣି ସମୂହର ବଲାଣି ଖଣିର ବିଭିନ୍ନ କଲୋନୀ ଓ ମୁଖ୍ୟ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ବଲାଣି ଖଣି ପକ୍ଷରୁ ଆରମ୍ଭ ହୋଇଛି । ବଲାଣି ଖଣିର ସିଭିଲ ବିଭାଗ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଚାଲୁଥିବା ବେଳେ କାର୍ୟ୍ଯ ଆରମ୍ଭ ରୁ ନିମ୍ନ ମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହେଉଛି । ଝାଡ଼ଖଣ୍ଡ ରାଜ୍ୟର ମନୋହରପୁର ଅଞ୍ଚଳର ଠିକା ସଂସ୍ଥା ଦୁର୍ଯ୍ୟୋଧନ ମହାନ୍ତି ଏହି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ହାତେଇଥିବା ବେଳେ କାର୍ଯ୍ୟ ଆରମ୍ଭରୁ ଠିକା ସଂସ୍ଥା ଦ୍ୱାରା ନିମ୍ନ ମାନର କାର୍ଯ୍ୟ କରୁଥିବା ନେଇ ଠିକା ସଂସ୍ଥା ବିରୁଦ୍ଧରେ ଅଭିଯୋଗ ହେଉଛି । ନିମ୍ନ ମାନର ଗିଟି ସହିତ ନିମ୍ନ ମାନର ବିଟୁମିନ୍ସ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହେଉଛି । ଫଳସ୍ୱରୂପ ବର୍ତ୍ତମାନ ସୁଦ୍ଧା ରାସ୍ତା କାର୍ଯ୍ୟ ସମ୍ପନ୍ନ ହୋଇଥିବା ମୁଖ୍ୟ ସଡ଼କ ସହିତ ଖଣି କଲୋନୀର ବିଭିନ୍ନ ସଂଯୋଗ ରାସ୍ତା କାମ ଶେଷ ନହେଉଣୁ ଖଣ୍ଡ ଖଣ୍ଡ ହୋଇ ଉଠିବାକୁ ଲାଗିଛି । ସାଧାରଣ ରାସ୍ତା ତ ଦୂରର କଥା ବଲାଣି ଖଣିର ଅଧିକାରୀ କଲୋନୀ ଇ-୬ ଓ କେ -୬ କଲୋନୀ ରାସ୍ତା ଦୁଇ ଦୁଇ ଥର ନିର୍ମାଣ ହେବା ପରେ ଉକ୍ତ ରାସ୍ତାରୁ ପିଚୁ ଉଠିଯିବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଠିକା ସଂସ୍ଥା ଦ୍ୱାରା ଏବେ ନିର୍ମାଣାଧୀନ ଟାଇମ ଅଫିସ ମୁଖ୍ୟ ରାସ୍ତା , ବଲାଣି ବଜାର ମୁଖ୍ୟ ରାସ୍ତା, କୋ ଅପରେଟିଭ୍ ଷ୍ଟୋର ସାମ୍ନା ରାସ୍ତା , ଜେ ଏନ ଆର୍ ସି ପରିସର ରାସ୍ତା ଓ ଡିଏଭି ସ୍କୁଲ କଲୋନୀ ରାସ୍ତା ନିର୍ମାଣ ଶେଷ ନହେଉଣୁ ଉକ୍ତ ରାସ୍ତାରୁ ପିଚୁ ଖଣ୍ଡ ଖଣ୍ଡ ହୋଇ ଉପୁଡିବା ଆରମ୍ଭ ହୋଇଛି । ଏ ନେଇ ବଲାଣି ଖଣିର କର୍ମଚାରୀ ଓ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ତେବେ ଏ ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସଂଜୀବ କୁମାର ଠିକାଦାର ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ କହିଥିବା ବେଳେ ଠିକାଦାରଙ୍କୁ ଉକ୍ତ ରାସ୍ତା ପୁନଃ ନିର୍ମାଣ କରିବାକୁ ଚିଠି ପ୍ରଦାନ କରାଯାଇଥିବା ନେଇ କହିଛନ୍ତି ।
