ପ୍ରତିକ୍ଷାର ଅନ୍ତ : ବିଜେଡିରେ ଯୋଗଦେଲେ ପ୍ରଦୀପ ମାଝୀ
ନବରଙ୍ଗପୁର : ସମସ୍ତ କଳ୍ପନାଜଳ୍ପନା ଓ ପ୍ରତିକ୍ଷାର ଅନ୍ତ । କିଛିଦିନ ତଳେ କଂଗ୍ରେସର ହାତ ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଶନିବାର ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗଦେଇଥିବା ଜଣାପଡ଼ିଛି। ନବରଙ୍ଗପୁର ସହରର ସର୍କିଟ୍ ହାଉସ ଆଗରେ ଥିବା ପଡ଼ିଆରେ ପ୍ରସ୍ତୁତ ମଞ୍ଚରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡିର ନବରଙ୍ଗପୁର ଜିଲା ପ୍ରଭାରୀ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ନେତାମାନେ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।
ସୂଚନା ଯେ, ଗତ ଅକ୍ଟୋବର ୨୨ ତାରିଖରେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତ ମାସ ୨୪ ତାରିଖ ଦିନ ତାଙ୍କ ସମର୍ଥକମାନେ କଂଗ୍ରେସ ଛାଡ଼ିବା ସହ ବିଜେଡିରେ ଯୋଗଦେବା ନେଇ ଘୋଷଣା କରିଥିଲେ। ଅନ୍ୟପଟେ ଗତ ୩୧ ତାରିଖ ଦିନ ପ୍ରଦୀପଙ୍କ ବିନା କଂଗ୍ରେସ ନିଜର ସ୍ଥିତି ଜାହିର କରିଥିଲା। ରାଜ୍ୟରେ କଂଗ୍ରେସ ସଂଗଠନ ଦିନକୁ ଦିନ ତଳକୁ ତଳ ଯାଉଥିବାବେଳେ ଶ୍ରୀ ମାଝୀ ଦଳ ଛାଡ଼ିବା ପ୍ରାୟତଃ ଏକପ୍ରକାର ନିଶ୍ଚିତ ବୋଲି ପୂର୍ବରୁ ଇସାରା ଦେଇ ସାରିଥିଲେ। ଏହାବାଦ ନବରଙ୍ଗପୁର ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜେଡି ପାଖରେ ଜଣେ ଦକ୍ଷ ଆଦିବାସୀ ନେତା ନଥିବାରୁ ଦଳ ଏବେ ଶ୍ରୀ ମାଝୀଙ୍କ ଉପରେ ଭରସା କରିବାକୁ ଯୋଜନା ରଖିଛି । ଶ୍ରୀ ମାଝୀ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ୨୦୦୯ରୁ ୨୦୧୧ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଭାବେ ନବରଙ୍ଗପୁରରୁ ନିର୍ବାଚିତ ହୋଇଥିଲେ । ତା’ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ପଂଚାୟତ ନିର୍ବାଚନରେ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ତଥା ପଶ୍ଚିମ ଓଡ଼ିଶାରେ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ବିଜେଡି ଏବେ ଶ୍ରୀ ମାଝିଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବ ବୋଲି ଜଣାଯାଇଛି।
