ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ଏଥିନିମନ୍ତେ ଆଜି ବସିବ ସର୍ବଦଳୀୟ ବୈଠକ । ଭୋଟର ତାଲିକା ପ୍ରସ୍ତୁତି ସହ ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଭୋଟର୍ ତାଲିକା ପ୍ରସ୍ତୁତି ସହ ନିର୍ବାଚନ ପ୍ରକ୍ରିୟା ବାବଦରେ ବୈଠକରେ ଆଲୋଚନା ହେବ। ସେହିପରି ଏହା ପୂର୍ବରୁ ଚୂଡାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେଇଛି ପଞ୍ଚାୟତିରାଜ ବିଭାଗ ।
ତେବେ ସର୍ବଦଳୀୟ ବୈଠକ ପୂର୍ବରୁ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ l କଂଗ୍ରେସ କହିଛି ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚ ସବୁ ନିଷ୍ପତ୍ତି ନେବାର କ୍ଷମତା ରହିଛି। କିନ୍ତୁ ସରକାର ସରପଞ୍ଚଙ୍କ ହାତରୁ କ୍ଷମତା କାଢ଼ି ନେଇଥିବା ଅଭିଯୋଗ କରିଛି କଂଗ୍ରେସ। ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାରେ ପକ୍ଷପତିତା କରାଯାଇଥିବା କଂଗ୍ରେସ ଆରୋପ ଆଣିଛି । ଆଜି ସର୍ବଦଳୀୟ ବୈଠକରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ । ସେହିପରି ବିଜେପି କହିଛି ତରବରିଆ ଭାବେ ସଂରକ୍ଷଣରେ ଭୁଲ ନିଷ୍ପତ୍ତି ନିଆଯାଇଛି । ଏହା ଉପରେ ଜବାବ ରଖି ବିଜେଡି କହିଛି, ଯାହା ନିର୍ବାଚନ କମିଶନଙ୍କ ପରିଧି ଭିତରେ ଆସୁଥିବ ସେ ନେଇ ବୈଠକରେ ଆଲୋଚନା ହେବ। ଅଧିକ ନୂଆ ଭୋଟର କିଭଳି ତାଲିକାରେ ଯୋଡ଼ି ହେବେ ତା ଉପରେ ଗୁରୁତ୍ବ ଦିଆଯିବ। ସଂରକ୍ଷଣ ଓ ଡିଲିମିଟେସନ୍ ନେଇ ବିରୋଧୀ କରୁଥିବା ଅଭିଯୋଗ ଭିତ୍ତିହୀନ ବୋଲି ବିଜେଡି କହିଛି ।
