କେନ୍ଦୁଝର ଜିଲାରେ ଏକାଦଶ କୃଷି ଗଣନା ସମ୍ପର୍କିତ ଜିଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ
କେନ୍ଦୁଝର : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓ ଓଡି଼ଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ୱାବଧାନରେ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ହେବାକୁ ଥିବା ଏକାଦଶ କୃଷି ଗଣନା ପାଇଁ କେନ୍ଦୁଝର ଜିଲ୍ଲା ସ୍ତରୀୟ ୪ ଦିନିଆ ତାଲିମ ଶିବିର ଗତ ୩୧.୦୧.୨୦୨୩ ରୁ ୦୩.୦୨.୨୦୨୩ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଜିଲ୍ଲାପାଳ ତଥା ଜିଲ୍ଲା କୃଷି ଗଣନା ଅଧିକାରୀ ଶ୍ରୀ ଆଶିଷ୍ ଠାକରେ ଏହି ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏହି କୃଷି ଗଣନାର ଆଭିମୁଖ୍ୟ ସହିତ ଏଥିରେ ସାମିଲ ହେବାକୁ ଥିବା ନୂତନ ନିୟମାବଳୀକୁ ପାଳନ କରି ସଠିକ୍ ତଥ୍ୟ ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ସଂଗ୍ରହ କରି ଭବିଷ୍ୟତ କୃଷି ସଂପର୍କିତ ଯୋଜନାରେ ସହାୟକ ହେବାକୁ ସମସ୍ତ ଗଣନାକାରୀ, ସୁପରଭାଇଜର ଏବଂ ତହସିଲଦାର ତଥା ତହସିଲ୍ ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡି଼ଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ତଥା କେନ୍ଦୁଝର ଜିଲ୍ଲା ଦାୟୀତ୍ୱରେ ଥିବା ରାଜ୍ୟ ନୋଡାଲ ଅଧିକାରୀ ଶ୍ରୀ ନିର୍ମଳ କୁମାର ସାହୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆଭାସୀ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ଉପନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ ଶ୍ରୀ ଗଜେନ୍ଦ୍ର କୁମାର ବେହେରା ଏହି କୃଷି ଗଣନାର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅବଗତ କରିବା ସହ ଏହି ତାଲିମ ଶିବିରକୁ ପରିଚାଳନା କରିଥିଲେ ଚଳିତ ଏକାଦଶ କୃଷି ଗଣନାରେ ଜିଲ୍ଲାର ଶତ ପ୍ରତିଶତ ଗ୍ରାମ ଅର୍ଥାତ ସମସ୍ତ ୨୧୩୨ ଗ୍ରାମରେ ଡିଜିଟାଲ ଭାବେ ମୋବାଇଲ୍ ଆପ୍ ମାଧ୍ୟମରେ ସମସ୍ତ ସର୍ଭେ କରାଯାଇ ତିନୋଟି ପର୍ଯ୍ୟାୟରେ ଡାଟାବେସ୍ ପ୍ରସ୍ତୁତି କରାଯିବ । ଏହି ଗଣନା କାର୍ଯ୍ୟରେ ଜମିର ମାଲିକାନା, ଜମିର ଆକାର ପ୍ରକାର, କ୍ଷୁଦ୍ର ନାମମାତ୍ର ଚାଷୀ, ବୃହତ ଚାଷୀ, ବ୍ୟକ୍ତିଗତ ଜୋତ ,ଯୁଗ୍ମ ଜୋତ , ଆନୁଷ୍ଠାନିକ ଜୋତ, କୃଷି ଯନ୍ତ୍ରପାତି ଉପଯୋଗ, ଜୈବିକ ଓ ରାସାୟନିକ ସାର, ଔଷଧ ଆଦିର ବ୍ୟବହାର , ବ୍ୟବହୃତ ଚାଷଜମି ତଥା ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବ୍ୟବହାର, ଫସଲ ପ୍ରଣାଳୀ ଆଦି ଉପରେ ତଥ୍ୟ ସଂଗ୍ରହ କରାଯିବ । ଡିଜିଟାଲ ମାଧ୍ୟମରେ ଥିବା ଜମିର ରେକର୍ଡକୁ ଏଥିପାଇଁ ବ୍ୟବହାର କରାଯିବ । ଏହି ଗଣନା କାର୍ଯ୍ୟର ପରିଚାଳନା ଓ ଅଗ୍ରଗତି ବିଭାଗ ୱେବ ପୋର୍ଟାଲରେ ମଧ୍ୟ ଅପଲୋଡ କରାଯିବ । ଏହି ଗଣନା କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ସୁପରିଚାଳିତ କରିବା ପାଇଁ ଜିଲ୍ଲାର ସମସ୍ତ ୧୩ଟି ତହସିଲରେ ଯୋଜନା ଓ ପରିସଂଖ୍ୟାନ ବିଭାଗର କ୍ଷେତ୍ର ସର୍ବେକ୍ଷକ ଓ ନିରୀକ୍ଷକ, କୃଷି ବିଭାଗର ଗ୍ରାମ କୃଷି କର୍ମଚାରୀ ଓ ପରିଦର୍ଶକ ଏବଂ ରାଜସ୍ୱ ବିଭାଗର ଅମିନ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଆଦି ମୋଟ୍ ୧୫୮ ଜଣ ଗଣନାକାରୀ ସାମିଲ ହୋଇଛନ୍ତି । ସେହିପରି ସମସ୍ତ ଗଣନାକାରୀଙ୍କ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗର ଅଧିକାରୀ ଏବଂ ରାଜସ୍ୱ ନିରୀକ୍ଷକ ଆଦି ମୋଟ୍ ୫୩ ଜଣ ସୁପରଭାଇଜର ଭାବେ କାମ କରିବେ । ଜିଲ୍ଲାର ସମସ୍ତ ୨୧୩୨ ରାଜସ୍ୱ ଗ୍ରାମ ଓ ସହରାଂଚଳରେ ଏହି ସର୍ଭେ କାମ ଅନୁଷ୍ଠିତ ହେବ । ଗଣନା କାର୍ଯ୍ୟ ତଦାରଖ ଓ ଧାର୍ଯ୍ୟ ସମୟରେ ସରିବା ନିମନ୍ତେ ସମସ୍ତ ଉପଜିଲ୍ଲାପାଳ ଉପଖଣ୍ଡ ସ୍ତରୀୟ ନୋଡାଲ ଅଧିକାରୀ ଏବଂ ସମସ୍ତ ତହସିଲଦାର ତହସିଲ ସ୍ତରୀୟ ନୋଡାଲ ଅଧିକାରୀ ରୁପେ କାର୍ଯ୍ୟ କରିବେ । ଉକ୍ତ ଚାରି ଦିନିଆ ତାଲିମ ଶିବିରରେ ପ୍ରଥମ ଦିନରେ ବାଂଶପାଳ, ହାଟଡ଼ିହି ଓ ଘଷିପୁରା ତହସିଲ, ଦ୍ୱିତୀୟ ଦିନରେ ଘଟଗାଁ, ହରିଚନ୍ଦନପୁର ଓ ସାହରପଡା ତହସିଲ, ତୃତୀୟ ଦିନରେ ଚମ୍ପୁଆ, ପାଟଣା କେନ୍ଦୁଝର ସଦର ତହସିଲ ଓ ଚତୃର୍ଥ ଦିନରେ ଆନନ୍ଦପୁର, ବଡ଼ବିଲ, ଝୁମ୍ପୁରା ଓ ତେଲକୋଇ ତହସିଲର ସମସ୍ତ ଗଣନାକାରୀ, ସୁପରଭାଇଜର ଏବଂ ତହସିଲଦାର ତଥା ତହସିଲ ସ୍ତରୀୟ ନୋଡାଲ ଅଧିକାରୀମାନେ ଯୋଗ ଦେଇଥିଲେ । ମାଷ୍ଟର ଟ୍ରେନର ଭାବେ ସହକାରୀ ନିର୍ଦ୍ଦେଶକ ଜୟରାମ ଟୁଡୁ,ପରିସଂଖ୍ୟାନ ଅଧିକାରୀ ପବିତ୍ର ମୋହନ ନାୟକ, ସୁଜିତ୍ ଲାଲ ନାୟକ, ପରମେଶ୍ୱର ଷଡଙ୍ଗୀ ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷକ ଅସିମ ଅମିତାଭ ମହାନ୍ତି, ବିଷ୍ଣୁପ୍ରିୟା ଓଝା,କଳ୍ପନା ହେମ୍ବ୍ରମ, ମାନସ ରଂଜନ ପଣ୍ଡା ଓ ପପୀନା ମଲ୍ଲିକ ସହଯୋଗ କରିଥିଲେ । ଏହି ଜାତୀୟ କୃଷି ଗଣନା କାର୍ଯ୍ୟକ୍ରମକୁ ଜିଲ୍ଲାରେ ସୁଚାରୁ ରୁପେ ସମ୍ପାଦାନ ପାଇଁ ଜିଲ୍ଲାବାସୀ ଗଣନାକାରୀଙ୍କୁ ସହଯୋଗ କରିବା ସହ ଜାତୀୟ ତଥା ରାଜ୍ୟସ୍ତରୀୟ ନୂଆ କୃଷି ଉନ୍ନୟନ ଯୋଜନା କାର୍ଯ୍ୟକାରି କରିବାରେ ସହାୟକ କରିବାକୁ ନିବେଦନ କରାଯାଇଅଛି ।
