ମୌଳିକ ସୁବିଧା ଯୋଗାଇଦେବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
କେନ୍ଦୁଝର : କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ପଂଚାୟତର କବିତ୍ରା ଗ୍ରାମର ବିଭିନ୍ନ ସମସ୍ୟା ନେଇ ସୋମବାର ସ୍ଥାନୀୟ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୱାର୍ଡ ମେମ୍ବର ସୁଦିପ୍ତ କୁମାର ନାଏକ,କଲ୍ୟାଣି ଜେନା,ଗୀତାରାଣୀ ଜେନା,ଝୁନାରାଣୀ ଜେନା,ରେବତୀ ଜେନା,ଶଙ୍କର୍ଷଣ ଦାସ ଓ ଗୌରୀ ନାଏକ ସମେତ ଗ୍ରାମବାସୀ ଜିଲାପାଳଙ୍କୁ ଭେଟିଛନ୍ତି । ଗ୍ରାମଟି ପୂର୍ବରୁ କେନ୍ଦୁଝରଗଡ ପୌରାଂଚଳ ମଧ୍ୟରେ ରହିଥିଲା । ପରେ ବୋଦାପଳସା ପଂଚାୟତରେ ସାମିଲ ହୋଇଛି । ଅଦ୍ୟାବଧି ପଂଚାୟତ ରାଜସ୍ୱ ଗ୍ରାମ ତାଲିକା ତଥା ବ୍ଲକ ଫାଇଲରେ ନାମ ଉଠି ନ ଥିବାରୁ ଉନ୍ନୟନମୂଳକ କାମ ହୋଇପାରୁନାହିଁ ବୋଲି ଧରଣୀଧର ସାହୁ କହିଛନ୍ତି । ଗ୍ରାମରେ ୩ ହଜାର ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବାବେଳେ ସେଥିମଧ୍ୟରୁ ଅଧାରୁ ଅଧିକ ପଛୁଆ ବର୍ଗର ଅଟନ୍ତି । ସରକାରଙ୍କ ଉନ୍ନୟନମୂଳକ ଯୋଜନା ପହଂଚି ପାରୁ ନ ଥିବାରୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସ୍ୱାସ୍ଥ୍ୟକର ପରିବେଶରେ ଗ୍ରାମଟି ରହିଥିବାବେଳେ ରାସ୍ତା, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ୟା ଦେଖାଦେଉଛି । ଆବାସ ଯୋଜନାରେ ଲୋକଙ୍କୁ ପକ୍କା ଘର ମିଳିପାରୁନାହିଁ । ଏଣୁ ଏହାର ପ୍ରତିବାଦରେ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
