କୁଲଡ଼ିହାରେ ହାତୀ ମୃତ୍ୟୁ ଘଟଣା : କାରଣ ଓ ସୁରକ୍ଷା ପାଇଁ ପହଞ୍ଚିଲା ଉଚ୍ଚସ୍ତରୀୟ କମିଟି
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିର ଗର୍ବ ଗୌରବ ୨୭୨. ୭୫ ବର୍ଗ କିମି ପରିବ୍ୟାପ୍ତ ସବୁଜ ବନାନୀ ବଣ ପାହାଡ଼ ଘେରା କୁଲଡ଼ିହା ଅଭୟାରଣ୍ୟ । ଏଠାରେ ବିଗତ ଦିନରେ ୧୦୦ରୁ ଊର୍ଦ୍ଧ୍ୱ ହାତୀ ରହୁଥିବା କୁଲଡିହା ଅଭୟାରଣ୍ୟ ଦିନେ ହାତୀ ପାଇଁ ସ୍ୱତନ୍ତ୍ର ପରିଚୟ ପାଉଥିଲା । କିନ୍ତୁ ଏଠାରେ ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ଏକାଧିକ ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ହାତୀ ବଂଶ ଲୋପ ପାଉଥିବାରୁ ଚାରିଆଡୁ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ଏହି ପରିପ୍ରେକ୍ଷୀରେ ରବିବାର ମୃତ୍ୟୁର କାରଣ ଖୋଜିବା ଏବଂ ଶିକାରୀଙ୍କ ଅଖଣ୍ଡ ଶିକାରକୁ ପ୍ରତିହତ ସହ ହାତୀମାନଙ୍କୁ କିଭଳି ଅଧିକ ସୁରକ୍ଷା ପ୍ରଦାନ ପାଇଁ ନୂତନ ରଣ କୌଶଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ଉଚ୍ଚସ୍ତରୀୟ କମିଟି କୁଲଡ଼ିହାରେ ପହଞ୍ଚିଛି ।
ବାରିପଦା ସର୍କଲର ଆର୍ସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନାନିଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କମିଟି କୁଲଡ଼ିହା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ସହ ପାହାଡ଼ର ଶୀର୍ଷ ସ୍ଥାନକୁ ଯାଇ କିଭଳି ଅଭୟାରଣ୍ୟରେ ବିଭିନ୍ନ ସମସ୍ୟା ଅଗ୍ରାଧିକାର ଭିତ୍ତିରେ ସମାଧାନ ହୋଇପାରିବ ତା’ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟତଃ ଅଭୟାରଣ୍ୟରେ ସମସ୍ତ ହାତୀଙ୍କୁ ଟ୍ରାକ୍ କରିବା, ହାତୀ ଓ ଶିକାରୀଙ୍କ ଗତିବିଧିକୁ ଲକ୍ଷ୍ୟ କରିବା, ସମସ୍ତ ବିଟ୍ରେ କଡ଼ାକଡ଼ି ପେଟ୍ରୋଲିଂ ଉଦ୍ଦେଶ୍ୟରେ ପରିଦର୍ଶନ କରିଥିଲେ । ଏହି ଉଚ୍ଚସ୍ଥରୀୟ କମିଟିରେ ଆର୍ସିସିଏଫ୍ଙ୍କ ସମେତ ବାଲେଶ୍ୱର ଡିଏଫ୍ଓ ଖୁସବନ୍ତ ସିଂହ, ବାଲେଶ୍ୱର ଏସିଏଫ୍ ସୋଭନ ଦିଗନ୍ତ ଚାନ୍ଦ, କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା, ସ୍ଥାନୀୟ ଫରେଷ୍ଟର ସମେତ ୪ଟି ବିଟ୍ର ଗାର୍ଡ଼ ଓ ଅନ୍ୟ ବନବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।
