୨୬ରୁ ଭୁଜାଖିଆ ପୀରବାବାଙ୍କ ୭୯ତମ ବାର୍ଷିକ ଉତ୍ସବ, ସରିଲା ପ୍ରସ୍ତୁତି ବୈଠକ
ବାଲେଶ୍ୱର : ବାଲେଶ୍ୱର ସହର ସୁନହଟ୍ରେ ଥିବା ଭୁଜାଖିଆ ପୀର ବାବାଙ୍କ ୭୯ତମ ବାର୍ଷିକ ଉତ୍ସବ ପାଳନ ପାଇଁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାବା ଭୁଜା ଖିଆ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ବୈଠକରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ସାଇରୁଲ ହକ୍ ଅଧ୍ୟକ୍ଷତା କରିଥିଲେ । ଆସନ୍ତା ୨୬ରୁ ୨୮ ତାରିଖ ୩ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବାବାଙ୍କ ବାର୍ଷିକ ପାଳନ କରାଯିବ ବୋଲି ଜଣାପଡ଼ିଛି । ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ପୌରଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ଯୁବ ସଂଗଠକ ବିକ୍ରମ ପଣ୍ଡା, ସିଟି ଡିଏସ୍ପି ଗାୟତ୍ରୀ ବାଳା ପ୍ରଧାନ, ଡିଆଇବି ଡିଏସପି ବ୍ରଜେଶ୍ୱରୀ ବଳ, ଟାଉନ୍ ଥାନା ଅଧିକାରୀ ପର୍ଶୁରାମ ସାହୁ, ସଭାପତି ସେକ୍ ଅବଦୁଲ ରଫିକ, ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଶାନ୍ତିଶୃଙ୍ଖଳାର ସହ କିପରି ଚଳିତବର୍ଷର ଉତ୍ସବ ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ ।
ପ୍ରବଳ ଜନସମାଗମକୁ ଆଖି ଆଗରେ ରଖି ଜିଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯିବ । ଏହାସହ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଗାଡ଼ି ପାର୍କିଂ ସୁନହଟ ହସପିଟାଲ ପରିସରରେ ବ୍ୟବସ୍ଥା କରାଯିବା ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ବିଦ୍ୟୁତ୍ କାଟ୍ ନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ବେଳେ ତୁରନ୍ତ ରାସ୍ତାଘାଟ ମରାମତି କରାଯିବା ପାଇଁ ବିଧାୟକ ଏବଂ ପୌରାଧ୍ୟକ୍ଷାଙ୍କ ସହିତ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ସେକ ଅବଦୁଲ ବୁରହାନ ଓ ସେକ୍ ଗୋଲାମ ମଜାମ୍ମିଲ ଆୟୋଜନ କରିବାରେ ସହଯୋଗ କରିଥିଲେ । କମିଟିର ସମ୍ପାଦକ ସେକ୍ ଜହିର ଉଦ୍ଦିନ୍ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ । ୨୬ ତାରିଖ ଉତ୍ସବର ପ୍ରଥମ ଦିନ ସକାଳେ ଗୋସାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମଧ୍ୟାହ୍ନରେ ଆସ୍ଥାନରୁ ଚନ୍ଦନ ଶୋଭାଯାତ୍ରା ବାହାରିବ ଏବଂ ସନ୍ଧ୍ୟାରେ ମିଲାତ ସରିଫ ଓ ରାତିରେ ସବିନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନ ସକାଳେ ବାବାଙ୍କ ଆସ୍ଥାନରେ ଚାଦର ଚଢ଼ାଯିବ ଓ ସନ୍ଧ୍ୟାରେ ଫାତେହା ଏବଂ ଶିରଣି ବିତରଣୀ କରାଯିବ । ରାତି ୯ଟାରେ ମୌଲବୀ ମାନଙ୍କ ଦ୍ୱାରା ବକ୍ତୃତା କରାଯିବାର କାର୍ଯ୍ୟକ୍ରମ ରହିଛି । ତୃତୀୟ ଦିନ ଚାଦର ବିତରଣ, ଫାତେହା ଓ ଶିରଣୀ ବିତରଣ ଏବଂ ରାତିରେ ଆୟୋଜିତ ଧର୍ମ ସଭାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମୌଲବୀ ମାନେ ଯୋଗ ଦେଇ ବକ୍ତୃତା ଓ କବିତା ଆବୃତି କରିବେ ବୋଲି କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଆୟୁବ ଖାଁ, ରୋଜାଲିନ ପାଣି, ପୂର୍ବତନ କାଉନସିଲର ଇନ୍ତେଖାବ ଅଲ୍ଲୀ ଖାଁ, ଚିନ୍ମୟ କାନ୍ତି ବିଶ୍ୱାଳ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବୈଠକରେ ଉପସ୍ଥିତ ଥିଲେ ।
