‘ସିମୁଳିଆ ପ୍ରେସ୍ କ୍ଲବ’ ଉଦ୍ଘାଟିତ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିମିତ୍ତ ସିମୁଳିଆ ବ୍ଲକ କାର୍ଯ୍ୟାଳୟ ନିକଟରେ ଏକ ସ୍ଥାୟୀ ଗୃହ ‘ସିମୁଳିଆ ପ୍ରେସ୍ କ୍ଲବ’ ରବିବାର ଉଦ୍ଘାଟିତ ହୋଇଛି । ମୁଖ୍ୟ ଅତିଥି ରୂପେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଯୋଗଦେଇ ଆନୁଷ୍ଠାନିକ ରୂପେ ଫିତାକାଟିବା ସହିତ ନଡିଆ ଫଟାଇ ଏହି ଗୃହର ଶୁଭ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ଖବରଦାତା ଭରତଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଗଦାଧର ଯେନା ଅତିଥି ପରିଚୟ ଓ ସ୍ୱାଗତ ଭାଷର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ରୂପେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୁବଶକ୍ତି ମାନେ ସମାଜ ବିକାଶରେ ସହାୟକ ବୋଲି କହିଥିଲେ । ସେହିପରି ମୁଖ୍ୟବକ୍ତା ରୂପେ ବରିଷ୍ଠ ଖବର ସହ-ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ସମାଜରେ ନିଷ୍ପେସିତ ସାଧାରଣ ଜନତାଙ୍କ ପାଇଁ କଲମ ଚାଳନା କରନ୍ତୁ ବୋଲି କହିଥିଲେ । ସମ୍ମାନିତ ଅତିଥି ରୂପେ ଉତ୍କଳ ସାମ୍ବାଦିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ପାତ୍ର ଖବରଦାତାଙ୍କ ଏକତା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟଅତିଥିମାନଙ୍କ ମଧ୍ୟରେ ସିମୁଳିଆ ଥାନା ଅଧିକାରୀ ଅଜୟ କୁମାର ମୁର୍ମୁ, ବିଡିଓ ପୃଥିରାଜ ପରିଡ଼ା, ରାଜସ୍ୱନୀରିକ୍ଷିକା ସାରଶୀ ମହାନ୍ତି ପ୍ରମୁଖ ଯୋଗଦେଇ ସିମୁଳିଆ ପ୍ରେସ୍ କ୍ଲବର ଖବରଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଖବରଦାତା ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସିମୁଳିଆ ପ୍ରେସ୍ କ୍ଲବର ସମସ୍ତ ଖବରଦାତା ମାନେ ସହଯୋଗୀ ଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷକ ସଂଘ, ଅବସର ଶିକ୍ଷକ ସଂଘ, ବଜରଙ୍ଗ ସେନା, ଅବସର ସେନା ପ୍ରମୁଖ ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ସମେତ ବାଲେଶ୍ୱର, ସୋର, ଖଇରା, ଔପଦା ପ୍ରମୁଖ ଅଞ୍ଚଳର ଖବରଦାତା ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପ୍ରେସ୍ କ୍ଲବର ଲୋଗୋ ଉନ୍ମୋଚିତ ହୋଇଥିଲା । ଅନ୍ୟାନ୍ୟ ଅତିଥି ଓ ଖବରଦାତା ମାନଙ୍କ ମଧ୍ୟରେ ଆଲୋକ କୁମାର ବାରିକ, ବ୍ରହ୍ମାନନ୍ଦ ସ୍ୱାଇଁ, ଜୀବନଜ୍ୟୋତି ବାରିକ, କୈଳାସଚନ୍ଦ୍ର ମହାପାତ୍ର, ରାଜାରାମ ଦାସ, ତପୋଧନ ବାରିକ, କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ ।
