ଦୁଲୁକୁଛି ଶ୍ରୀକ୍ଷେତ୍ର – କମ୍ପୁଛି ପୂଜାପଣ୍ଡପ ଗୁରୁବାର ଗୋସାଣୀ ମେଳଣ
ପୁରୀ : ଶ୍ରୀକ୍ଷେତ୍ରରେ ରହିଛନ୍ତି ଅଷ୍ଟଚଣ୍ଡୀ ମନ୍ଦିର । ଗଜପତି ମହାରାଜା ମୂଳାଷ୍ଟମୀ ପୂର୍ବରୁ ବ୍ରାହ୍ମଣମାନଙ୍କୁ ବରଣ କରି ବିଭିନ୍ନ ଚଣ୍ଡୀ ମନ୍ଦିରରେ ଚଣ୍ଡୀପାଠ କରିବା ପାଇଁ ପଠାଇଛନ୍ତି । ଚଣ୍ଡୀପାଠରେ କମ୍ପୁଛି ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ଏବେ ଶାରଦୀୟ ପୂଜାର ମାହୋଲ ସୃଷ୍ଟି ହୋଇଛି । ଅନେକ ସାହିରେ ବିରାଟକାୟ ଦୁର୍ଗା ମେଢ ସ୍ଥାପନ ହୋଇ ପୂଜିତ ହେଉଛନ୍ତି । ମାଙ୍କୁ ଦର୍ଶନ କରିବା ପାଇଁ ସହରବାସୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ହରଚଣ୍ଡୀ ସାହିର ବାରବାଟୀ ଠାକୁରାଣୀ, ମହତେଶ୍ୱରୀ, ବନଦୁର୍ଗା, ମହାସୁଆରସାହି ଠାକୁରାଣୀ, ଗେଲବାଇ, ତ୍ରିପୁରା ସୁନ୍ଦରୀ, ମା ହରଚଣ୍ଡୀ, ଚକ୍ରକୋଟ, ଖଜୁରୀ ଗୋସାଣୀ, ମାଟିମଣ୍ଡପ ସାହିର ଭୋଗଯାଗା ଶୂନ୍ୟ ଗୋସାଣୀ,ଦୋଳମଣ୍ଡପ ସାହିର ଜହ୍ନିଖାଇ,କରତିସାହି ଠାକୁରାଣୀ, ବାସେଳୀ ସାହିର ବନଦୁର୍ଗା ଓ ପଣାପ୍ରିୟା, ଗୋଡ଼ବାଡ଼ ସାହିର ଜହ୍ନିଖାଇ, ତିଆଡ଼ି ସାହିର ହାଡ଼ବାଇ, ଖୁଂଟିଆ ସାହିର ବେଲବାଇ, ଗୁଡ଼ିଆ ସାହିର ଜମକୋଟ ଓ ଗେଲବାଇ ମୂର୍ତି ପୂଜା ପାଉଛନ୍ତି । ସେହିପରି ବଡ଼ଶଙ୍ଖ ଠାରେ ଶଙ୍ଖେଶ୍ୱରୀ, ମାର୍କେଟ ଛକ ଓ ଷ୍ଟେସନରେ ଦୁର୍ଗାମୂର୍ତି ପୂଜା ପାଉଛନ୍ତି । ପୂଜା ମଣ୍ଡପରେ ମେଢ ଗୁଡ଼ିକ ଜିଙ୍କ ଜରି ଓ ଜମ୍ବରାରେ ନିର୍ମିତ ହୋଇଥିବା ବେଳେ ରଙ୍ଗୀନ ଆଲୋକମାଳାରେ ସେକୁଡ଼ିକ ଝଲସି ଉଠୁଛି । ଏଥିସହ ବିଭିନ୍ନ ସାହିରେ ନାଗା ମେଢ ଶୋଭାବର୍ଦ୍ଧନ କରୁଛନ୍ତି । ବଡ଼ଦାଣ୍ଡରେ ମାଜଣା ଯାଗାରେ ନାଗାମେଢକୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଦର୍ଶନ କରୁଛନ୍ତି । ଆସନ୍ତା ୬ ତାରିଖ ଗୁରୁବାର ସଂଧ୍ୟାରେ ସିଂହଦ୍ୱାର ସମ୍ମୁଖରେ ଗୋସାଣୀ ମେଳଣ ବା ଦେବୀ ସଭା ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ୬ ପ୍ଲାଟୁନ ପୋଲିସ ଫୋର୍ସ ମଣ୍ଡପ ଜଗିବା ସହ ୨୮ଟି ପାଟ୍ରୋଲିଂ ଟିମ ସହରରେ ପଇଁତରା କରୁଛନ୍ତି ।
