ଆଜି ଶ୍ରୀମନ୍ଦିରରେ ବିଜୟାଦଶମୀ ! ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ
ପୁରୀ : ଆଜି ଶ୍ରୀମନ୍ଦିରରେ ପବିତ୍ର ଦଶହରା ବା ବିଜୟାଦଶମୀ ଅନୁଷ୍ଠିତ ହେଉଛି । ଏହି ଅବସରରେ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ଅବକାଶ ନିତି ପରେ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ନୂଆଲୁଗା ଲାଗି ପରେ କିରିଟି, ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ହରିଡା ମାଳ ଓ ତବିଜ ମାଳ ଆଦି ସ୍ଵର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ବିଭୂଷିତ କରାଯିବ।
ହେଲେ ମହାପ୍ରଭୁ ଆୟୁଧ ହସ୍ତରେ ଧରି ନଥାନ୍ତି । ସକାଳ ଧୂପ ନୀତି ଶେଷ ହେବାପରେ ଚକ୍ର ମାଜଣା ହେବା ସହ ଆୟୁଧ ପୂଜା ହୋଇଥାଏ। ତାପରେ ଭିତର ବେଢ଼ା ପରିକ୍ରମା ପରେ ମହାପ୍ରଭୁ ଆୟୁଧ ହସ୍ତରେ ଧାରଣ କରିଥାନ୍ତି। ସେପଟେ ଶ୍ରୀଜିୟୁ ଆୟୁଧ ଧାରଣ କରିବା ପରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ଠାରୁ ଦୁର୍ଗାମାଧବ, ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ଆଜ୍ଞାମାଳ ପାଇ ବିମାନ ଓ ପାଲିଙ୍କିରେ ବିଜେ କରି ଜଗନ୍ନାଥବଲ୍ଲଭ ଦଶହରା ପଦାକୁ ବିଜେ କରିଥାନ୍ତି। ସେଠାରେ ବନ୍ଦାପନା,ପ୍ରସାଦଲାଗି ଓ ରାଜନିତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁ ମତ୍ସ୍ୟ ଶିକାର କରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ସୁନାବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଲାଗିବା ଆରମ୍ଭ ହୋଇଛି । ଗତ ଦୁଇବର୍ଷ ହେବ କୋରୋନା ଯୋଗୁଁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିନଥିଲେ। ହେଲେ ଚଳିତବର୍ଷ ଦର୍ଶନର ସୁଯୋଗ ପାଇଛନ୍ତି। ଆଜି ସକାଳ ୫ଟା ୦୯ ମିନିଟରେ ଶ୍ରୀମନ୍ଦିରର ଦ୍ୱାର ଫିଟିଛି। ଭକ୍ତିମାନେ ସୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଥିବା ଦେଖିବାକୁ ମିଳିଛି।
ସୁନାବେଶ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ । ଯେଉଁଥିରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସଜ୍ଜିତ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ ।
ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାର ଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।
