ନିଶାର୍ଦ୍ଧରେ ଶ୍ରୀଜୀଉଙ୍କୁ ଦର୍ଶନ କରନ୍ତି ମା’ଝାଡ଼େଶ୍ୱରୀ
ପୁରୀ : ଶ୍ରୀମନ୍ଦିରର ଉତରପଟେ ରହିଛି ମା ଝାଡ଼େଶ୍ୱରୀ ମନ୍ଦିର । ଭିଆଇପି ରୋଡ଼ ପୋଲିସ ଲାଇନ ଛକରେ ମା’ଙ୍କ ମନ୍ଦିର ଅବସ୍ଥିତ । ମାଆ ପୂର୍ବକୁ ମୁହଁ କରି ବସିଥିବା ବେଳେ ମୁଖ୍ୟ ମନ୍ଦିରର ଦ୍ୱାର ଉତରପଟେ ରହିଛି । ଭକ୍ତମାନେ ଯିବା ଓ ଆସିବା ସମୟରେ ଝରକା ବାଟେ ମାଙ୍କୁ ଦର୍ଶନ କରିଥାନ୍ତି । ମା ବନଦୁର୍ଗା ସ୍ୱରୂପା । ଶ୍ରୀକ୍ଷେତ୍ର ଝାଡ଼ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ସେହି ଝାଡ଼ ଜଙ୍ଗଲର ବଦରିକା ବୃକ୍ଷ ମୂଳରୁ ମା ଆର୍ବିଭୂତ ହୋଇଥିବାରୁ ମାଙ୍କ ନାମ ଝାଡ଼େଶ୍ୱରୀ ହୋଇଥିବା କଥିତ ଅଛି । ଶ୍ରୀକ୍ଷେତ୍ରରେ ରହିଥିବା ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ମା ଝାଡ଼େଶ୍ୱରୀ ଅନ୍ୟତମ । ପୁରୁଖା ଲୋକମାନେ କୁହନ୍ତି କୌଣସି ଛୋଟପିଲାର ଝାଡ଼ାବାନ୍ତି ହେଲେ ମାଙ୍କ ପାଖକୁ ନେଇ ଝଡ଼ାଫୁଙ୍କା କରିଲେ ରୋଗ ଦୂର ହୋଇଥାଏ ବୋଲି ମାଙ୍କ ନାମ ଝାଡ଼େଶ୍ୱରୀ ହୋଇଛି । ଘୋର ଜଙ୍ଗଲ ମଧ୍ୟରେ ମା ନିଶାର୍ଦ୍ଧ ଓ ଶୂନଶାନ ରାତିରେ ଶ୍ରୀମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ଦେବୀ ସଭାରେ ଯୋଗ ଦେଉଥିବା କଥିତ ଅଛି । ମାଙ୍କ ମନ୍ଦିରରେ ଶ୍ରୀଜଗନ୍ନାଥ,ମା ମହାକାଳୀ,ମା ମହାଲକ୍ଷ୍ମୀ,ମା ଭୁବନେଶ୍ୱରୀ, ମା କନକଦୁର୍ଗା,ମା ବନଦୁର୍ଗା,ଶ୍ରୀ ଗଣେଶ,ମା ବାସେଳୀ, ଶ୍ରୀଲୋକନାଥ,ଶ୍ରୀବିଶ୍ୱନାଥ ଆଦି ଦେବାଦେବୀ ପୂଜା ପାଉଛନ୍ତି । ପ୍ରତିଦିନ ମାଆଙ୍କ ପାଖରେ ମାହାର୍ଦ୍ଦ ସମର୍ପଣ ହୋଇ ପୁଜାନୀତି ଶେଷ ହୋଇଥାଏ । ମାଅଙ୍କ ମୁଖ୍ୟ ପର୍ବପର୍ବାଣୀ ମଧ୍ୟରେ ଚଇତ ପର୍ବ,ଷୋଳପୂଜା,କାଳୀପୂଜା,ଝାମୁଯାତ୍ରା,ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଗର୍ଭଣା ସଂକ୍ରାନ୍ତି ଦିନ ମାଆଙ୍କ ଚଳନ୍ତି ପ୍ରତିମା ବନନୁର୍ଗା ନଗର ପରିକ୍ରମା କରିଥାନ୍ତି । ମା ବାସେଳୀ ଠାକୁରାଣୀ ହେଉଛନ୍ତି ମା ଝାଡ଼େଶ୍ୱରୀଙ୍କ ଭଉଣୀ ସଦୃଶ । ଚଇତ୍ର ମାସରେ ଚଇତି କଳାଘୋଡ଼ା ମାନସିକଧାରୀଙ୍କ ଠାରୁ ପଣା ଗ୍ରହଣ କରିବା ସହ ଗୃହ ସମ୍ମୁଖରେ ପୂଜାର୍ଚ୍ଚନା କରାଯାଏ ଏବଂ ନଗର ଭ୍ରମଣ କରିଥାନ୍ତି । ଚଇତ୍ରମାସ ପ୍ରତି ମଙ୍ଗଳବାର ଓ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଶାରଦୀୟ ଦୁର୍ଗାପୂଜା ଅବସରରେ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ଦିନ ବିଶେଷ ପୂଜା ଅର୍ଚ୍ଚନା ସହ ଚଣ୍ଡୀପାଠ କରାଯାଏ । ମାଙ୍କର ଦୈନଦିନ ନୀତି ମଧ୍ୟରେ ଦ୍ୱାରପିଟା,ମଙ୍ଗଳଆଳତି,ସ୍ନାନ,ଶୃଙ୍ଗାର ଆଳତି ପରେ ବାଳଭୋଗ ହୋଇଥାଏ । ମଧ୍ୟାହ୍ନରେ ଶଙ୍ଖୁଡ଼ି ଭୋଗ ଓ ଅପରାହ୍ନରେ ଫଳ ଭୋଗ ଓ ରାତିରେ ଶୁଖିଲା ଭୋଗ ହୋଇ ବିଡ଼ିଆ ପାନ ଅର୍ପଣ କରାଯାଇଥାଏ । ମାଙ୍କ ପୀଠରେ ଗୁରୁ ଗାଦି ପାଖରେ ଭକ୍ତମାନେ ଝଡ଼ା ଫୁଙ୍କା ସହ ଆର୍ଶିବାଦ ନେଇଥାନ୍ତି । ଧୂପ,ଦୀପ ଝୁଣା ସହ ଘଣ୍ଟ ,ଘଣ୍ଟା ବାଜି ମାଆଙ୍କ ଆଳତି ହୋଇଥାଏ । ମାଆଙ୍କ ଦର୍ଶନ କଲେ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
