ବାଲେଶ୍ୱରରେ ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ଆନୁକୂଲ୍ୟରେ ୮୮ତମ ଜିଲାସ୍ତରୀୟ ଓଡ଼ିଶା ଦିବସ ଶନିବାର ପାଳିତ ହୋଇଛି । ପ୍ରତ୍ୟୁଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ପୂର୍ବକ ସହର ପରିକ୍ରମା କରାଯାଇଥିଲା । ଏହ ଅବସରରେ ବିଭିନ୍ନ ସ୍କୁଲ ଛାତ୍ରୀଛାତ୍ର ଓ ଏନ୍ସିସି କ୍ୟାଡେଟ୍ମାନଙ୍କୁ ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ପବ୍ଲିକ ହାଇସ୍କୁଲ ସନିକଟରୁ ବାହାରିଥିଲା । ଏହାକୁ ଅତିରିକ୍ତ ଜିଲାପାଳ ନିଲୁ ମାହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାର, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସମାପନ ହୋଇଥିଲା ।

ପରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପୌରହିତ୍ୱରେ ଅତିଥିମାନଙ୍କ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଚିତ୍ରକାଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା । ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଓ ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଥିଲେ । ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଲୁହଲହୁ ଦେଇଥିବା ମହାମନିଷୀଙ୍କୁ ମନେ ପକାଇଥିଲେ । ତେବେ ଓଡ଼ିଆ ଭାଷାର ସମୃଦ୍ଧି ସାଙ୍ଗକୁ ରାଜ୍ୟର କଳା ସଂସ୍କୃତି ଓ ଐତିହ୍ୟକୁ ସର୍ବଦା ଉଜ୍ଜୀବିତ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

ଅତିଥିମାନେ ପ୍ରଥମେ କବିତୀର୍ଥ ଶାନ୍ତିକାନନ ଠାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓଡ଼ିଆ ଭାଷାର ତ୍ରାଣକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ସଂସ୍କୃତି ଭବନ ପରିସରରେ ଥିବା ଆର୍ଟ ଗ୍ୟାଲେରୀରେ ଚିତ୍ରକଳା ପ୍ରଦର୍ଶନୀକୁ ଅତିଥିମାନେ ଉଦ୍ଘାଟନ ସହ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ପରେ ସିନେମାଛକ ସ୍ଥିତ ଶହୀଦ ପାର୍କରେ ମହାତ୍ମା ଗାନ୍ଧୀ, ଫାଣ୍ଡି ଛକରେ ବିଜୁ ପଟ୍ଟନାୟକ, ଫକୀର ମୋହନ ଗୋେଇଲରେ ବ୍ୟାସକବି, ଗୋପବନ୍ଧୁ ପାର୍କରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହିକ୍ରମରେ ଗାନ୍ଧୀ ସ୍ମୃତି ଭବନରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ଇତିହାସ ସମ୍ବଳିତ ଏକ ଫଟୋ ପ୍ରଦର୍ଶନୀକୁ ସେମାନେ ଉଦ୍ଘାଟନ କରିଥିଲେ । ଏହା ପରେ ଡିଆଇସି ଛକ ନିକଟରେ ବିଜୁସ୍ମୃତି ପୀଠରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ସହ ଷ୍ଟେସନ ଛକରେ ଭାରତରତ୍ନ ଏପିଜେ ଅବଦୁଲ କାଲାମ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଉତ୍କଳ ଦିବସ ପାଳନ ଅବସରରେ ଜିଲା ମୁଖ୍ୟଚିକିତ୍ସାଳୟ ସ୍ଥିତ ରକ୍ତଭଣ୍ଡାର ପରିସରରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଅତିଥିମାନେ ଉଦ୍ଘାଟନ କରିଥିଲେ । ପରେ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବଦାନ ଥିବା ମହାମନିଷୀଙ୍କ ତ୍ୟାଗି ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଆ ସଂସ୍କୃତି, ଭାଷା, କଳା, ଭାସ୍କର୍ଯ୍ୟର ଗାଥା ବଖାଣିବା ସହ ଓଡ଼ିଶାର ପୂର୍ଣ୍ଣ ବିକାଶ ପାଇଁ ପ୍ରତ୍ୟେକଙ୍କ ଅବଦାନ କାମନା କରିଥିଲେ । ଉତ୍କଳ ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ଏହି ଅବସରରେ ପୁରସ୍କୃତ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭୂୟାଁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
