ବାଲେଶ୍ୱରରେ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ପୋଲିସ ବିଭାଗ ପକ୍ଷରୁ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନରେ ଆୟୋଜିତ ଉତ୍ସବକୁ ପୂର୍ବାଞ୍ଚଳ ଜୋନ୍ ଆଇଜି ହିମାଂଶୁ ଲାଲ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଆଭ୍ୟନ୍ତରୀଣ ଶୃଙ୍ଖଳା ରକ୍ଷାରେ ପୋଲିସର ଦାୟିତ୍ୱବୋଧତା ସମ୍ପର୍କରେ ଆଲୋଚନା କରିଥିଲେ । ପୋଲିସର ଧୈର୍ଯ୍ୟପୂର୍ଣ୍ଣ କାର୍ଯ୍ୟଧାରା ଜନସାଧାରଙ୍କୁ ସର୍ବଦା ଆଶ୍ୱସ୍ତି ଦେଇ ଆସିଛି । ଆଇନ ଶୃଙ୍ଖଳା ରକ୍ଷା ସମୟରେ ଉଚିତ୍ କର୍ତ୍ତବ୍ୟ ସାଧନ ଉପରେ ଅଧିକ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତା ଆଇଜି ଶ୍ରୀ ଲାଲ ପାଠ କରିଥିଲେ । ଏଥିସହିତ ରିଜର୍ଭ ପୋଲିସ ପକ୍ଷରୁ ଆୟୋଜିତ ସାମୂହିକ ପ୍ୟାରେଡ଼୍ ଅଭିବାଦନ ଗ୍ରହଣ କରିଥିଲେ ।
ଜିଲା ଆରକ୍ଷୀ ଅଧୀକ୍ଷକ ସାଗାରିକା ନାଥ ପୌରୋହିତ୍ୟ କରିବା ସହିତ ପୋଲିସ ପ୍ରତିଷ୍ଠା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଆରକ୍ଷୀ ଉପ-ନୀରିକ୍ଷକ ମାନସ ରଞ୍ଜନ ବିଶ୍ୱାଳ, ଜୟଦେବ କସବା ପୋଲିସ ଫାଣ୍ଡି ସହକାରୀ ଆରକ୍ଷୀ ଉପ-ନୀରିକ୍ଷକ ସୁଶାନ୍ତ କୁମାର ପଣ୍ଡା, ସଦର ମହକୁମା ହାବିଲଦାର ରଞ୍ଜନ କୁମାର ଦାସ, ଆରକ୍ଷୀ ବିରେନ୍ଦ୍ର ହାଁସଦା ଓ ସନ୍ତୋଷ କୁମାର ମହାନ୍ତି, ଡିସିଆରବି ଆରକ୍ଷୀ ମାଳତି ପ୍ରଧାନ, ଟ୍ରାଫିକ ଥାନା ଆରକ୍ଷୀ ହିମାଂଶୁ ଶେଖର ମହାନ୍ତି ପ୍ରମୁଖଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଡିଏସ୍ପି କ୍ଷୀତିଶ କୁମାର ଜେନା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଆର୍ଆଇ ବିରେନ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ସାମୂହିକ ପ୍ୟାରେଡ୍କୁ ସର୍ଜେଣ୍ଟ ରାଜୀବ ମାରାଣ୍ଡି ପରିଚାଳନା କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମରେଶ କୁମାର ପାଣିଗ୍ରାହୀ ଓ ଅନୀଲ କୁମାର ପ୍ରଧାନ, ଡିଏସ୍ପି ବ୍ରଜେଶ୍ୱରୀ ବଳ, ମାନସ କୁମାର ଦେଓ, ସିଟି ଡିଏସ୍ପି ଗାୟତ୍ରୀ ପ୍ରଧାନ ଓ ସଦର ଏସ୍ଡିପିଓ ଡ. ଶଶାଙ୍କ ଶେଖର ବେହୁରା ପ୍ରମୁଖଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ଓ ପୋଲିସ କର୍ମଚାରୀମାନେ ଉତ୍ସବରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
