କେନ୍ଦୁଝର ରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ
କେନ୍ଦୁଝର : ହକି ର ଲୋକପ୍ରିୟତା ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ପ୍ରତି ଜିଲ୍ଲାରେ ୧୭ ବର୍ଷ ଏବଂ ୧୪ ବର୍ଷ ରୁ କମ୍ ବାଳକ ବାଳିକାଙ୍କର ଖେଳକୁଦ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଷ୍ଟାଡିୟମ୍ ପରିସରରେ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ଅବସରରେ ଏହି ଭଳି ପ୍ରତିଯୋଗିତା ଆୟୋଜନ ଲୁକ୍କାୟିତ ପ୍ରତିଭା ଚୟନରେ ବିଶେଷ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ପାଟଣା ବ୍ଲକ୍ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ଡି.ଏନ୍.ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ପାତ୍ର ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସତ୍ୟନାରାୟଣ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କର ଉତ୍ସାହ ବୃଦ୍ଧି କରିଥିଲେ ।ଏହି ପ୍ରତିଯୋଗିତା ରେ ଜିଲ୍ଲାର ୧୩ଟି ବ୍ଲକ୍ ରୁ ପ୍ରତିଯୋଗୀ ଭାଗ ନେଉଛନ୍ତି । ଜାନୁଆରୀ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ହକି, ଖୋ ଖୋ,କବାଡି, ଆଥଲେଟିକସ୍, କ୍ରିକେଟ୍ ଖେଳ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଶାରୀରିକ କ୍ରୀଡ଼ା ନିରୀକ୍ଷକ ଡମ୍ବରୁଧର ମହାନ୍ତ ସୂଚନା ଦେଇଛନ୍ତି । ବିଭିନ୍ନ ବ୍ଲକ୍ ର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ କ୍ରୀଡ଼ା ପରିଚାଳନାରେ ସହଯୋଗ କରୁଛନ୍ତି ।
