କେନ୍ଦୁୁଝର ରେ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ : ଜିଲ୍ଲାରେ ଉତ୍ସବର ମାହୋଲ
କେନ୍ଦୁଝର : ଏଫ୍.ଆଇ.ଏଚ୍. ବିଶ୍ୱକପ୍ ହକି ଟ୍ରଫିକୁ କେନ୍ଦୁଝର ଜିଲ୍ଲାରେ ଭବ୍ୟ ସ୍ୱାଗତ କରାଯାଇଛି । ଟ୍ରଫି ଏବଂ ମାସ୍କଟ ‘ଓଲି’କୁ ବିପୁଳ ସ୍ୱାଗତ ପାଇଁ କେନ୍ଦୁଝର ଚଳ ଚଂଚଳ ହୋଇ ଉଠିଥିଲା । ନୃତ୍ୟ, ଗୀତ ଓ ବାଦ୍ୟଯନ୍ତ୍ରର ମଧୁର ମୁର୍ଚ୍ଛନାରେ କମ୍ପୁଥିଲା କେନ୍ଦୁଝର । ପୌଷ ମାସ ସକାଳର ଶୀତକୁ ଖାତିର ନକରି ହଜାର ହଜାର ଜନସାଧାରଣ ସାମିଲ୍ ହୋଇଥିଲେ ସ୍ୱାଗତ କାର୍ଯ୍ୟକ୍ରମରେ । ଆବାଳ ବୃଦ୍ଧବନିତାଙ୍କଠାରେ ଦେଖାଯାଇଥିଲା ପ୍ରବଳ ଉତ୍ସାହ ଓ ଉଦ୍ଦୀପନା । ଟ୍ରଫିକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମର ଅଂଶସ୍ୱରୂପ ହରେକ ରକମର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜାନୁଆରୀ ୭ ତାରିଖ ଶନିବାର ସକାଳେ ସର୍କିଟ୍ ହାଉସ୍ ଛକ ନିକଟରୁ ଏକ ମିନି ମାରାଥନ ଆୟୋଜିତ ହୋଇଥିଲା ଏବଂ ଏକ ବାଇକ୍ ରାଲିରେ ସିର୍କିଟ୍ ହାଉସଠାରୁ ଟ୍ରଫିକୁ ପୁରୁଣା ସହରସ୍ଥିତ ବଡ଼ଦାଣ୍ଡକୁ ବିରାଟ ପଟୁଆରରେ ନିଆଯାଇ ସ୍ୱତନ୍ତ୍ର ମଣ୍ଡପରେ ସ୍ଥାପନ କରାଯାଇଥିଲା । ସେଠାରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା । ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ଏସ୍.ପି. ମିତ୍ରଭାନୁ ମହାପାତ୍ର, ଡି.ଏଫ୍.ଓ. ଧନରାଜ ଏଚ୍.ଡି, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଯଦୁମଣି ମହଲା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୁଷମା ବିଲୁଙ୍ଗ୍, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀମତୀ ଜୟଶ୍ରୀ ବେଉରା, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡାଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଶୁଭେଚ୍ଛା କାମନା କରିଥିଲେ । ଏହି ସମାରୋହରେ ଜିଲ୍ଲାପାଳ ଶ୍ରୀ ଠାକରେ ଉଦ୍ବୋଧନ ଦେଇ କହିଥିଲେ ଯେ ଏଫ୍.ଆଇ. ଏଚ୍. ପୁରୁଷ ହକି ବିଶ୍ୱକପର ପଂଚଦଶ ସଂସ୍କରଣ ଓଡିଶାରେ ଆୟୋଜନ ହେବା ଗର୍ବ, ଗୌରବ ଏବଂ ସୌଭାଗ୍ୟର ବିଷୟ । ଏତଦ୍ବ୍ୟତୀତ ଭାରତର ଓଡିଶା ରାଜ୍ୟ କ୍ରମାଗତ ଦ୍ୱିତୀୟଥର ପାଇଁ ଏଫ୍.ଆଇ.ଏସ୍. ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରି ବିଶ୍ୱ ହକି କ୍ଷେତ୍ରରେ ସ୍ୱର୍ଣ୍ଣାଭ ଫର୍ଦ୍ଦ ଯୋଡିଛି ଏବଂ ନୂଆ ଇତିହାସ ରଚିଛି । ଏଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଓ ଉଦ୍ୟମ ପ୍ରଶଂସନୀୟ ଏବଂ ଏଥିପାଇଁ ବିଶ୍ୱ ପ୍ରଶଂସା କରୁଛି । ଓଡିଶା କ୍ରୀଡା ହବ୍ ପାଲଟିଛି । ହକି କ୍ରୀଡାର ଯେଉଁ ପୂର୍ବ ଗୌରବ ଥିଲା ତା’ର ଅଭ୍ୟୁଦୟ ଘଟିବ ଏବଂ ରାଜ୍ୟରେ ତଥା ଦେଶରେ ଅନେକ କ୍ରୀଡା ପ୍ରତିଭାକୁ ଉତ୍କର୍ଷତା ପ୍ରତିପାଦନ ପାଇଁ ଏହା ପ୍ରେରଣା ଯୋଗାଇବ ଏବଂ ସେମାନେ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ । ଜିଲ୍ଲାରେ ହକି ବିଶ୍ୱକପ୍ ଟ୍ରଫି ଓ ମାସ୍କଟ ‘ଓଲି’ ପରିକ୍ରମା ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀ ତଥା ଯୁବସମୁଦାୟଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ସୃଷ୍ଟି କରିବ ବୋଲି କହିଥିଲେ । ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ କେନ୍ଦୁଝର ସଂଜୀବ ବାରିକ ସ୍ୱାଗତ ସମ୍ଭାଷଣ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏହାପରେ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ତରଫରୁ ଟ୍ରଫି ଏବଂ ଓଲିକୁ ଭବ୍ୟ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ହକି ବିଶ୍ୱକପ୍ ଟ୍ରଫି ମୟୁରଭଞ୍ଜ ଜିଲ୍ଲା ପରିକ୍ରମା ନିମନ୍ତେ ବାହାରିଥିଲା । ରାସ୍ତାରେ ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗାଠାରେ ଭବ୍ୟ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଜାନୁଆରୀ ୬ ତାରିଖ ଶୁକ୍ରବାର ଅପରାହ୍ନରେ ତେଲକୋଇ ବ୍ଲକ୍ ଅନ୍ତର୍ଗତ ସୀମାନ୍ତ ବିମଳାଠାରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନଠାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଟ୍ରଫିକୁ ଗ୍ରହଣ କରାଯାଇଥିଲା ଏବଂ ତେଲକୋଇ ବ୍ଲକ୍ ଓ ବାଂଶପାଳ ବ୍ଲକର ବିଭିନ୍ନ ସ୍ଥାନରେ ହକି ବିଶ୍ୱକପ୍ ଟ୍ରଫି ଏବଂ ମାସ୍କଟ୍ ଓଲିକୁ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ରାତ୍ରିରେ ଜିଲ୍ଲା ସଦର ମହକୁମାସ୍ଥ ସର୍କିଟ୍ ହାଉସ୍ଠାରେ ଟ୍ରଫି ପହଂଚିଥିଲା । ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନଙ୍କ ମିଳିତ ସହଯୋଗରେ ହକି ବିଶ୍ୱକପ୍ ଟ୍ରଫିର କେନ୍ଦୁଝର ଜିଲ୍ଲା ପରିକ୍ରମା ଶାନ୍ତିଶୃଙ୍ଖଳାର ସହ ସମାପିତ ହୋଇଥିଲା ।
