ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କଲେ ବାଲେଶ୍ୱର ଜିଲ୍ଲାପାଳ
ନୀଳଗିରି : ନୀଳଗିରି ଗସ୍ତରେ ଆସି ହଠାତ୍ ଡାକ୍ତରଖାନା ପରିଦର୍ଶନରେ ଯାଇଥିଲେ ବାଲେଶ୍ୱର ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଧେ । ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବିଭିନ୍ନ ସମୟରେ ବହୁ ସମସ୍ୟା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରି ନ ଥିଲା । ଏ ସଂପର୍କରେ ଜିଲ୍ଲାପାଳ ଗୁରୁବାର ଦିନ ପ୍ରାୟ ୧୧.୩୦ ସମୟରେ ହସପିଟାଲ ପହଂଚି ଅନୁଧ୍ୟନ କରିଥିଲେ । ହସପିଟାଲରେ କର୍ମଚାରୀଙ୍କ ଅଭାବ ସହିତ ଡାକ୍ତର, ନର୍ସ, ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ଯୋଗୁଁ ରୋଗୀ ସଠିକ୍ ଚିକିତ୍ସା ପାଇପାରୁ ନ ଥିବା ଅବଗତ ହୋଇଥିଲେ । ନୂତନ ବିଲଡିଂ କାର୍ଯ୍ୟକ୍ଷମ ହୋଇଥିଲେ ସୁଧା ଗୁରୁତର ରୋଗୀମାନେ ଉପରମହଲାକୁ ଯାଇ ପାରୁ ନ ଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଲିଫ୍ଟ ସହିତ ର୍ୟାମ୍ପ ନିର୍ମାଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦୁଲାଲ ସେନ ଜଗଦେବ, ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ତହସିଲଦାର ଅଶେଷ ନାୟକ, ବିଡିଓ ରାହୁଲ ମଣ୍ଡଳ, ନୀଳଗିରି ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସରୋଜିନୀ ପ୍ରଧାନ, ନୀଳଗିରି ଏନ.ଏସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ, ବାଲେଶ୍ୱର ପୂର୍ତ ବିଭାଗ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ, ପୂର୍ତବିଭାଗର ଏସ.ଡି.ଡ. ରଜନୀକାନ୍ତ ମୁନା, କନିଷ୍ଠ ଯନ୍ତ୍ରୀ ନବଘନ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
