ବାଲିଯାତ୍ରା ପଡିଆ ବୁଲି ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ସିଏମସି କମିଶନର
କଟକ : ଅକ୍ଟୋବର ୮ରୁ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରାର ପ୍ରସ୍ତୁତି କାର୍ଯ୍ୟକୁ ଆଜି ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ ଓ କଟକ ମହାନଗର ନିଗମ କମିଶନର ନିଖିଲ ପୱନ କଲ୍ୟାଣ ବୁଲି ଅନୁଧ୍ୟାନ କରିଛନ୍ତି । ଉଭୟେ ସକାଳ ୮ଟା ୩୦ ମିନଟ୍ ସମୟରେ ବାଲିଯାତ୍ରା ପଡିଆରେ ପହଂଚି ସେଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ । ଏଥର ବାଲିଯାତ୍ରା ଅତ୍ୟନ୍ତ ନିଆରା ଭାବେ ପାଳନ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷକରି ଏହି ମେଳାକୁ ରାଜ୍ୟ ସରକାରଙ୍କ ମାନ୍ୟତା ମିଳିବା ପରେ ଜାତୀୟ ସ୍ତରରେ କିଭଳି ବାଲିଯାତ୍ରା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ ସେଥିନେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ସିଏମସି ଓ ସିଡିଏ ପକ୍ଷରୁ ମିଳିତ ଉଦ୍ୟମ ଅବ୍ୟାହତ ରହିଛି । ମହାନଦୀ କୂଳ ନିକଟରେ ୫ ଲକ୍ଷ ବର୍ଗଫୁଟ ଅଂଚଳର ଶତାଧିକ ଗଛ ଗହଳରେ ‘ଗ୍ରୀନ୍ କଭର’ ପ୍ରକଳ୍ପ କାର୍ଯ୍ୟ ଜୋର୍ଦାର ଚାଲିଛି । ଏହି ପ୍ରକଳ୍ପରେ ୪/୫ ଟି ଯୋଜନା ଏକତ୍ରୀକରଣ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ତ୍ୱାରାନ୍ୱିତ କରାଯାଉଛି । ଏହି ଗ୍ରୀନ କଭରକୁ ୬ଟି ସଦୃଶ୍ୟ ତୋରଣ ଏବଂ ପ୍ରତିଟି ତୋରଣ ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରୂପେ ବ୍ୟବହାର ହେବ । ଏଥିମଧ୍ୟରେ ଥିବା ସମସ୍ତ ଗଛକୁ ଆଲୋକମାଳାରେ ସଜାଇବାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହିପରି ବ୍ୟବସ୍ଥା ହୋଇଥିବା ଗ୍ରୀନ କଭର ପରିସରରେ ଗୁରୁଦ୍ୱାର, ଧବଳେଶ୍ୱର ପୀଠ, କଦମରସୁଲ ଓ ଚର୍ଚ୍ଚ ଯାହାକି ‘କଟକ–ଇନ୍-କଟକ’ ଯୋଜନାର ଅନ୍ତର୍ଭୁକ୍ତ । ଏହିସବୁ କାର୍ଯ୍ୟର ଅଗ୍ରଗତିକୁ ଜିଲ୍ଲପାଳ ଡ. ଚୟନୀ ଓ କମିଶନର ଶ୍ରୀ କଲ୍ୟାଣ ଆଜି ଅନୁଧ୍ୟାନ କରିଛନ୍ତି । ଉଭୟ ଅଧିକାରୀ ଉପର ଓ ତଳ ପଡିଆର ସମସ୍ତ କାର୍ଯ୍ୟ ବୁଲି ଦେଖିଛନ୍ତି । ବିଶେଷକରି ମଲ୍ଟି ମିଡିଆ ଶୋ, ସ୍ୟାଣ୍ଡ୍ ଆର୍ଟ ଓ ବିଭିନ୍ନ ଇଭେଣ୍ଟକୁ ଭିତ୍ତି କରି ଚାଲିଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବାକୁ ସେମାନେ ପରାମର୍ଶ ଦେବା ସହ ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବାକୁ ଦାୟିତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଓ ସିଏମସିର ବିଭିନ୍ନ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
