ମହାନଦୀ ବିହାରରେ ଡକାୟତି ଘଟଣା:୫ ଅଭିଯୁକ୍ତ ଗିରଫ
କଟକ : ଗତ ୨୧ ତାରିଖ ପ୍ରତ୍ୟୁଷରୁ ମହାନଦୀବିହାରର ଦିପ୍ତୀରଂଜନ ପଟ୍ଟନାୟକଙ୍କ ଘରୁ ଡକାୟତି ହୋଇଥିବା ଘଟଣାରେ ଚାଉଳିଆଗଂଜ ଥାନା ପୋଲିସ ୫ ଜଣଙ୍କୁ ଗତକାଲି ରାତି ୧୧ଟାରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏଥିସହିତ ଡକାୟତିରେ ବ୍ୟବହୃତ ଗାଡି ଓ ଲୁଟ ସୁନା ଗହଣା, ନଗଦ ଟଙ୍କା ସବୁ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ବରପଦା ସେଣ୍ଡତିରାର ତାପସ କୁମାର ଜେନା(୩୪), ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ସଦାନନ୍ଦପୁରର ଚିତ୍ତରଂଜନ ମହାପାତ୍ର(୪୫), ଝାଡଖଣ୍ଡ ରାଜ୍ୟ ବୁର୍ମା ଥାନା ଅନ୍ତର୍ଗତ ଗାନ୍ଧିନଗର ବସ୍ତିର ଦୀପକ ଝା(୨୫), ସେହି ଅଂଚଳର ବାଗବେରା ଥାନା ଅନ୍ତର୍ଗତ ହନୁମାନ ମନ୍ଦିର ନିକଟର ଭିଜୟ ପଟେଲ ଓରଫ ଆନ୍ତୋଲ(୩୦) ଓ ଝାଡଖଣ୍ଡ ପୂର୍ବ ସିଂହଭୂମ ଜିଲ୍ଲା କଡମା ଥାନା ଅନ୍ତର୍ଗତ ଗଣେଶ ପ୍ରସାଦ ସୋନି(୫୨) । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତମାନେ ୨୧ ତାରିକ ସକାଳ ୬ଟା ବେଳେ ଶ୍ରୀ ପଟ୍ଟନାୟକଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହିତ ପାଖ ରୁମରେ ପିଲାଙ୍କୁ ପଢାଉଥିବା ଟ୍ୟୁସନ ଟିଚର୍ଙ୍କୁ ଧମକ ଚମକ ଦେଇ ଘରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ । ଏ ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକ ଥାନାରେ ଏତଲା ଦେବା ପରେ ପୋଲିସ ସେହି ଅଂଚଳର ସିସିଟିଭି ଫୁଟେଜକୁ ଯାଂଚ କରି ଅଭିଯୁକ୍ତମାନଙ୍କ ପାଖରେ ପହଂଚିପାରିଥିଲା । ଗତକାଲି ରାତିରେ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି ।
