ଧାମନଗର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ନଭେମ୍ବର ୩ରେ ଭୋଟ, ୬ରେ ଫଳାଫଳ
ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରକାଶ ପାଇଲା ବିଜ୍ଞପ୍ତି । ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ପ୍ରାର୍ଥୀ ମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ । ନାମାଙ୍କନ ନିମନ୍ତେ ଭଦ୍ରକ ବ୍ଲକ ପରିସରରେ ବ୍ୟାରିକେଡ଼ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ୨୫୨ଟି ବୁଥରେ ମତଦାନ ହେବ । ଅକ୍ଟୋବର ୧୪ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ଭଦ୍ରକ ଉପଜିଲାପାଳଙ୍କ ନିକଟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ୧୫ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ସେହିପରି ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଆଗାମୀ ନଭେମ୍ବର ୬ ତାରିଖରେ ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ହେବ ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ ବୋଲି ଜଣାଯାଇଛି। ନଭେମ୍ବର ୮ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ସାରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି । ଏନେଇ ଅକ୍ଟୋବର ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତ ପ୍ରକାଶ ପାଇବ ବୋଲି ପୂର୍ବରୁ ଭାରତର ନିର୍ବାଚନ କମିସନଙ୍କ ସଚିବ ସୂଚନା ଦେଇଥିଲେ। ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।
ଉପନିର୍ବାଚନ ପାଇଁ ତିନିଦଳ ନିଜ ନିଜର କସରତ ଆରମ୍ଭ କରିସାରିଛନ୍ତି । କହିବାକୁ ଗଲେ ବିଜେଡି ଆଜି ଯାଏଁ କୌଣସି ଉପନିର୍ବାଚନ ହାରି ନାହିଁ ତେଣୁ ଏହି ଉପନିର୍ବାଚନ କିପରି ହାତେଇବ ତାହା ଉପରେ ସମ୍ପୂର୍ଣ୍ଣ ଫୋକସ କରିଛି । ସେପଟେ ବିଜେପି ମଧ୍ୟ ତାର ସାମରସଜ୍ଜା ଆରମ୍ଭ କରି ଦେଇଛି । କୌଣସି କାରଣରୁ ବିଜେପି ତାର ଏହି ଆସନ ଛାଡିବା ପାଇଁ ଆଦୌ ପ୍ରସ୍ତୁତ ନାହିଁ ।ଏହା ପାଇଁ ଦଳ ଖୁବ ପ୍ରୟାସ କରିବା ସହିତ ଶେଷ ପର୍ଯ୍ୟନ୍ତ ଲଢ଼ିବ ବୋଲି ପ୍ରମାଣ କରିଛି ।
ସୂଚନା ଯେ, ପୂର୍ବରୁ ରାଜ୍ୟ ବିଧାନସଭାର ଭଦ୍ରକ ଜିଲାର ୪୬-ଧାମନଗର (ଏସ୍ସି) ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ବିଧାନସଭାରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭାର ସ୍ବତନ୍ତ୍ର କାର୍ଯ୍ୟରତ ଅଧିକାରୀ ତଥା ସଚିବ ଦାଶରଥୀ ଶତପଥୀ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହା ଓଡ଼ିଶା ଗେଜେଟର ଅସାଧାରଣ ପ୍ରସଙ୍ଗରେ ସ୍ଥାନିତ କରିବା ପାଇଁ ପତ୍ର ପଠାଯିବା ସହ ଏହାର ନକଲ ମୁଖ୍ୟ ନିର୍ବାଚନ ଆୟୁକ୍ତ, ମୁଖ୍ୟ ନିର୍ବାଚନ ଅଧିକାରୀ, ସମସ୍ତ ବିଧାୟକ, ସାଂସଦ, ଲୋକସଭା ଓ ରାଜ୍ୟସଭାର ମହାସଚିବ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଏବଂ ଏଥି ସମ୍ପୃକ୍ତ ସମସ୍ତଙ୍କ ଅବଗତି ନିମନ୍ତେ ପଠାଯାଇଥିଲା ।
