ଧାମନଗର ଉପ-ନିର୍ବାଚନ : ୬୬.୬୩% ମତଦାନ
ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୬ରେ ଫଳାଫଳ
ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ସରିଲା ମତଦାନ । ଇଭିଏମରେ ସିଲ ହେଲା ନେତାଙ୍କ ଭାଗ୍ୟ । ନିଜର ନୂଆ ବିଧାୟକ କିଏ ହେବ, ତାଙ୍କୁ ବାଛିବା ପକ୍ରିୟା ପୂର୍ଣ୍ଣ କରିଛନ୍ତି ଧାମନଗରବାସୀ । ତେବେ ଯେଉଁମାନେ ମତଦାନ କେନ୍ଦ୍ର ଭିତରେ ରହିଛନ୍ତି ସେମାନେ ଏବେବି ଭୋଟ ଦେଉଛନ୍ତି । ଭୋଟ ଦାନ ପକ୍ରିୟା ଯଦି ବା ସପାପ୍ତ ହୋଇଛି କିନ୍ତୁ ପ୍ରବେଶ କରିଥିବା ମତଦାତାଙ୍କ ଭୋଟ ଦେବା ପର୍ଯ୍ୟନ୍ତ ପକ୍ରିୟା ଜାରି ରହିବ ।
ତେବେ ଅନ୍ୟପଟେ ପ୍ରାୟ ଅଧିକାଂଶ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ଉପନିର୍ବାଚନ ହୋଇଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରେ ୭୨.୦୧ ପ୍ରତିଶତ ଭୋଟିଂ ହୋଇଥିବାବେଳେ ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି । ପିଙ୍କ୍ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ସିଇଓ । ଧାମନଗରର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ନିଜେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଧାମନଗର ଯାଇ ପରିସ୍ଥିତି ସମୀକ୍ଷା କରିଥିଲେ । ମତଦାନକୁ ନେଇ କିଭଳି ସୂଚାରୁ ରୂପେ କାର୍ଯ୍ୟ କରାଯିବ ସେନେଇ ସ୍ଥିତି ତଦାରଖ କରିଥିଲେ ।
୨୫୨ଟି କେନ୍ଦ୍ରରେ ମତଦାନ ପାଇଁ ବ୍ୟବସ୍ଥା ହୋଇଥିଲା । ସେଥିମଧ୍ୟରୁ ୧୨୬ଟି ବୁଥରେ ୱେବ୍ କାଷ୍ଟିଂ କରାଯାଇଥିଲା । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥା ବାର୍ତା କଲେ ସୁରକ୍ଷାକର୍ମୀ ତାଗିଦ୍ କରୁଥିଲେ । ନିର୍ବାଚନ ପ୍ରକ୍ରିୟାକୁ ସ୍ୱଛ କରିବାପାଇଁ ୨୫ଟି ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଥିଲେ । ୬ ତାରିଖରେ ଖୋଲିବ ଇଭିଏମ ବାକ୍ସ । ଧାମନଗର ବାସୀଙ୍କ ଭାଗ୍ୟ ବିଧାତା କିଏ ହେବ ତାହା ସ୍ପଷ୍ଟ ହେବ । ହେଲେ ନିର୍ବାଚନ ଫଳାଫଳ ଉପରେ ନିର୍ଭର କରିବ ୨୦୨୪ ନିର୍ବାଚନର ରଣନୀତି ।
