ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି, ସୁରକ୍ଷା ବଳୟରେ ରହିବ ବିଧାନସଭା
- ୩୦ ପ୍ଲାଟୁନ ଫୋର୍ସ ଓ ୧୨୦ ଅଫିସର ନିୟୋଜିତ
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ମଙ୍ଗଳବାର ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ଅଭୟ । ଚଳିତ ଥର ଅଧିବେଶନରେ ବ୍ୟାପକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି । ଅଧିବେଶନ ପୂର୍ବରୁ ବିଧାନସଭା ଭିତର, ପରିସର ଓ ପିଏମଜିକୁ ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯିବ ବୋଲି ଜଣାପଡିଛି । ତେବେ ସୁରକ୍ଷା ପାଇଁ ତ୍ରିସ୍ତରୀୟ ଢାଞ୍ଚା ଗ୍ରହଣ କରାଯାଇଛି । ଏଥି ପାଇଁ ୩ଟି କଣ୍ଟ୍ରୋଲ ରୁମ୍ ହୋଇଛି । ନର୍ଥ ଗେଟ୍, ଧାରଣା ସ୍ଥଳ ଓ ୟୁନି ଫାଏଡ୍ କଣ୍ଟ୍ରୋଲ ରୁମ । ମୋଟ ୩୦ ପ୍ଲାଟୁନ୍ ଫୋର୍ସ ଓ ୧୨୦ ଅଫିସର ଦାୟିତ୍ବରେ ରହିବେ । ଗହଳି, ହିଂସା ଓ ସାମ୍ଭବ୍ୟ ବଡ ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ସହ ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ଟିମ୍ ମୁତୟନ ରହିବେ । ଏହା ସହିତ ରୁଫ୍ ଟପ୍ ସିକ୍ୟୁରିଟି ରହିବ । ସୁରକ୍ଷା ଦାୟିତ୍ୱରେ ଅତିରିକ୍ତ ଡିସିପି, ଏସିପି, ଆଇଆଇସି ଓ ଏସଆଇଙ୍କ ସମେତ ବଛାବଛା ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଆହୁରି ମଧ୍ୟ ସାଧା ପୋଷାକରେ ପୋଲିସ ପଇଁତରା ମାରିବେ । କରୋନା ପାଇଁ ପିଏମଜିରେ ଅଧିକ ଭିଡ ପାଇଁ କଟକଣା ରହିଛି । ଯଦି କେହି ନିୟମ ନ ମାନି ଧାରଣସ୍ଥଳରେ ଆନ୍ଦୋଳନ କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅଧିବେଶନ ପୂର୍ବରୁ ଆଜି ବିଜେପି, କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ବସିବ । ଚଳିତ ଥର ମଧ୍ୟ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ସେହିପରି ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ପୂର୍ବାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଅସୁସ୍ଥ ଥିବାରୁ ଉପନେତା ବିଷ୍ଣୁ ସେଠୀ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି । ସେହିପରି ସଂଧ୍ୟାରେ କଂଗ୍ରେସ ଭବନରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ମରୁଡି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, କୋଟିଆ, ବିଜୁଳି ଦର, ନିଯୁକ୍ତିରେ ଅନିୟମିତତା, ଆଇନ ଶୃଙ୍ଖଳା, ଦୁର୍ନୀତି ଆଦି ପ୍ରସଙ୍ଗକୁ ଗୃହରେ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ଦଳ । ଅନ୍ୟପଟେ ଆଜି ସଂଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତାରେ କରିବେ । ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ କିପରି ଜବାବ ଦିଆଯିବ ତାହାକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ ।
