ଆସିଲା ସେପ୍ଟେମ୍ବର ଗାଇଡଲାଇନ୍ : ହଟିଲା ସପ୍ତାହାନ୍ତ ସଟ୍ଡାଉନ୍
- ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ
ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ଲୋକମାନଙ୍କ ଜବୀନଜୀବିକାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ୍ ନେଇ ମଙ୍ଗଳବାର ପ୍ରେସବାର୍ତ୍ତା ଜରିଆରେ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା । କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛନ୍ତି । ତେଣୁ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ କୋହଳ ହୋଇଥିଲେ ସୁଦ୍ଧା କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ରାଜ୍ୟ ସରକାର ।
ଏ ସମ୍ପର୍କରେ ଘୋଷଣା କରି ଏସ୍ଆରସି ଶ୍ରୀ ଜେନା କହିଛନ୍ତି ଯେ, ନୂଆ ଗାଇଡଲାଇନ୍ ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ କୋଭିଡ୍ ନିୟମ ବଳବତ୍ତର ରହିବ । ରାଜ୍ୟର ୩ ସହରରେ ଲାଗୁ ହୋଇଥିବା ସପ୍ତାହାନ୍ତ ସଟ୍ଡାଉନ୍କୁ ହଟାଯାଇଛି । ଏଣିକି କୌଣସି ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁହେବ ନାହିଁ । ବିବାହ କାର୍ଯ୍ୟରେ ଏଣିତି ୨୫୦ ଜଣ ଉପସ୍ଥିତ ରହିପାରିବେ । ଏହା ସହିତ ସୁଦ୍ଧିକ୍ରିୟାରେ ମଧ୍ୟ ୨୫୦ ଜଣ ରହିବା ନେଇ ଗାଇଡଲାଇନ୍ ଜାରି କରିଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା । ପୂର୍ବରୁ ବିବାହ ଏବଂ ଅନ୍ତେଷ୍ଟି କ୍ରିୟାରେ ଅତିବେଶିରେ ୫୦ ଜଣ ଉପସ୍ଥିତ ରହିବା ନେଇ ନିୟମ ରହିଥିଲା । ସେହିପରି ବିବାହ ଶୋଭାଯାତ୍ରାରେ ସର୍ବାଧିକ ୫୦ ଲୋକ ଏକତ୍ରିତ ହୋଇପାରିବେ । କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଅନୁମତି କ୍ରମେ ଏସବୁ କାର୍ଯ୍ୟ କରାଯାଇପାରିବ । ରାଜ୍ୟରେ ଏଣିକି ସକାଳ ୫ଟାରୁ ରାତି ୧୦ଟା ଦୋକାନ ବଜାର ଖୋଲା ରହିପାରିବ । ସେପ୍ଟେମ୍ବର ଗାଇଡଲାଇନ୍ ଅନୁଯାୟୀ ରାତି ୧୦ଟାରୁ ଭୋର ୫ଟା ଯାଏଁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍କର୍ଫ୍ୟୁ ଜାରି ରହିବ । କେବଳ ଜରୁରୀ ସେବା ବ୍ୟତିତ ସାଧାରଣ ଯାଆସ ଉପରେ କଟକଣା ବଳବତ୍ତର ରହି । ପୂର୍ଣ୍ଣ କ୍ଷମତାରେ ଚାଲିପାରିବ ସିନେମା ହଲ । ରେଷ୍ଟୁରାଣ୍ଟ, ମଲ, ସିନେମା ହଲ, ଧାର୍ମିକ ସ୍ଥଳୀ କରୋନା କଟକଣା ମାନି ପୂର୍ବଭଳି ଜାରି ରହିବ । ସିନେମା ହଲ ପାଇଁ ମଧ୍ୟ କଟକଣା କୋହଳ ହୋଇଛି । ହଲରେ ଯେତିକି ସିଟ ଥିବ ସେତିକି ଦର୍ଶକ ଯାଇପାରିବେ । ହଲରେ କୋଭିଡ କଟକଣା ଦାୟିତ୍ବ ହଲ ପରିଚାଳନା ବୁଝିବେ । ସେହିପରି ସାରା ରାଜ୍ୟରେ ଥିବା ସୂଚନା କେନ୍ଦ୍ର, ପାଠାଗାରଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମେଳା ମଉଛବ, ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ । ସବୁପ୍ରକାରର ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଉପରେ ବାରଣ ବଜାୟ ରହିବ । ତେବେ ଆଗକୁ ପାର୍ବଣଋତୁ ଥିବାରୁ, ଗତ ଅଗଷ୍ଟ ୯ରେ ଘୋଷିତ ଗାଇଡଲାଇନ ଅନୁଯାୟୀ ପୂଜାପାର୍ବଣ ଆୟୋଜନ କରାଯାଇପାରିବ ବୋଲି ଏସଆରସି କହିଛନ୍ତି । ସାମାଜିକ, ରାଜନୈତିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିବ । ତେବେ ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିପାଏ ତେବେ ସ୍ଥାନୀୟ ପ୍ରଶାସନ ଚାହିଁଲେ ସାନି କଟକଣା ଲାଗୁ କରିପାରିବେ । ଆସନ୍ତା ଅକ୍ଟୋବର ୧ ତାରିଖ ଯାଏଁ ଜାରି ରହିବ ନୂଆ ଗାଇଡଲାଇନ୍ ।
