ଆସନ୍ତାକାଲି ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଚଳିତ ଅଧିବେଶନରେ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ଏହା ପୂର୍ବରୁ ବିଧାୟକ ଓ ମନ୍ତ୍ରୀମାନଙ୍କ କରୋନା ଟେଷ୍ଟ ସରିଛି । ସୁରକ୍ଷା ବଳୟରେ ରହିବ ବିଧାନସଭା ଗୃହ । ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିଜିପି ଅଭୟ ମଙ୍ଗଳବାର ବିଧାନସଭା ବାହାର ଓ ଭିତରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ତେବେ ଚଳିତ ଥର ଅଧିବେଶନରେ ବ୍ୟାପକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । କରୋନା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସୁରକ୍ଷା ଦାୟିତ୍ୱରେ ଅତିରିକ୍ତ ଡିସିପି, ଏସିପି, ଆଇଆଇସି ଓ ଏସଆଇଙ୍କ ସମେତ ବଛାବଛା ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଏହାଛଡା ସାଧା ପୋଷାକଧାରୀ ପୋଲିସ, ରୁଫଟପ୍ ସିକ୍ୟୁରିଟି, କ୍ୟୁଆରଟି,ଷ୍ଟ୍ରାଇକିଂ ପକ୍ଷରୁ ସାନିଟାଇଜ୍ କରାଯିବ । କରୋନା ପାଇଁ ପିଏମଜିରେ ଅଧିକ ଭିଡ ପାଇଁ କଟକଣା ରହିଛି । ଯଦି କେହି ନିୟମ ନ ମାନି ଧାରଣସ୍ଥଳରେ ଆନ୍ଦୋଳନ କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅଧିବେଶନ ପୂର୍ବରୁ ଆଜି ବିଜେପି, କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ବସିବ । ଚଳିତ ଥର ମଧ୍ୟ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ସେହିପରି ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ପୂର୍ବାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଅସୁସ୍ଥ ଥିବାରୁ ଉପନେତା ବିଷ୍ଣୁ ସେଠୀ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଜଣାପଡିଛି । ସେହିପରି ସଂଧ୍ୟାରେ କଂଗ୍ରେସ ଭବନରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ମରୁଡି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, କୋଟିଆ, ବିଜୁଳି ଦର, ନିଯୁକ୍ତିରେ ଅନିୟମିତତା, ଆଇନ ଶୃଙ୍ଖଳା, ଦୁର୍ନୀତି ଆଦି ପ୍ରସଙ୍ଗକୁ ଗୃହରେ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ଦଳ । ଅନ୍ୟପଟେ ଆଜି ସଂଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତାରେ କରିବେ । ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ କିପରି ଜବାବ ଦିଆଯିବ ତାହାକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ ।
