ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମନୀଷ ସିସୋଦିଆ
ନୂଆଦିଲ୍ଲୀ: ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।
ମଦ ଦୁର୍ନୀତିରେ ସିବିଆଇର ତଦନ୍ତ ଉପରେ ମଧ୍ୟ ସେ ତାଙ୍କ ପିଟିସନରେ ପ୍ରଶ୍ନ ଉଠାଇଛନ୍ତି । ସିସୋଦିଆଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଆଗରେ ଏହି ମାମଲା ଦାଖଲ କରିଛନ୍ତି ଏବଂ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସିସୋଦିଆଙ୍କ ଆବେଦନର ଆଜି ହିଁ ଶୁଣାଣି କରିବାକୁ ରାଜି ହୋଇଛନ୍ତି ।
ସୂଚନା ଯେ, ଗତ ୨୦୨୧ ଅବକାରୀ ନୀତି ଅନିୟମିତତା ଅଭିଯୋଗରେ ସିସୋଦିଆଙ୍କୁ ଗତ ରବିବାର ସନ୍ଧ୍ୟାରେ ସିବିଆଇ ଗିରଫ କରିଥିଲା । ତାଙ୍କୁ ଗତକାଲି ଦିଲ୍ଲୀର ଏକ କୋର୍ଟ ପାଞ୍ଚ ଦିନ ସିବିଆଇ ହାଜତକୁ ପଠାଇଥିଲେ ।
