ଆଇଟିଆର୍ରୁ ତଥ୍ୟ ଲିକ୍ ମାମଲା ! ସରିଲା ରିମାଣ୍ଡ ଅବଧି, ବିଚାର ବିଭାଗୀୟ ହାଜତକୁ ଗଲା ଅଭିଯୁକ୍ତ ବାବୁରାମ
ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍ଡିଓ)ରୁ ପ୍ରତିରକ୍ଷା ତଥ୍ୟ ଲିକ୍ ଘଟଣାରେ ଗିରଫ ହୋଇଥିବା ଆଇଟିଆର୍ ଟେଲିମେଟ୍ରି ବିଭାଗର ଟେକ୍ନିକାଲ ଅଫିସର ବାବୁରାମ ଦେଙ୍କ ୪ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ଶେଷ ହୋଇଛି । ପୋଲିସ ବାବୁରାମକୁ ବାଲେଶ୍ୱର ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟଟ୍ରାକ୍ କୋର୍ଟ (ଜେଏମ୍ଏଫ୍ସି)ରେ ହାଜର କରାଇଥିଲା । ସେଠାରେ ବେଲ୍ ଖାରଜ ହେବା ପରେ ବାବୁରାମକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଆବଶ୍ୟକ ପଡ଼ିଲେ ବାବୁରାମକୁ ପୁଣିଥରେ ରିମାଣ୍ଡରେ ଅଣାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
ସୂଚନା ଯେ, ଚାନ୍ଦିପୁର ଆଇଟିଆର୍ ଟେଲିମେଟ୍ରି ବିଭାଗର ଟେକ୍ନିକାଲ ଅଫିସର ବାବୁରାମ ଦେ (୫୧) ପାକିସ୍ତାନ ରାୱାଲାପିଣ୍ଡିର ଜଣେ ସନ୍ଦିଗ୍ଧ ଯୁବତୀଙ୍କ ସହିତ ସୋସିଆଲ୍ ମିଡିଆରେ ସମ୍ପର୍କ ସୃଷ୍ଟି ହେବାପରେ ଉଭୟଙ୍କ ମଧ୍ୟରେ ମୋବାଇଲ୍ ନମ୍ବର ଦିଆନିଆ ହୋଇ କଥାବାର୍ତ୍ତା ଆଗକୁ ବଢ଼ିଥିଲା । ଏହି ସମୟରେ ଯୁବତୀଜଣକ ଘନିଷ୍ଠତା ବଢ଼ାଇ ବାବୁରାମଙ୍କୁ ନିଜ ଜାଲରେ ପକାଇଥିବା କୁହାଯାଉଛି । ମିଠାକଥା, ପ୍ରେମାଳାପ ସହ ନିଜର ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇ ବାବୁରାମଙ୍କ ଠାରୁ ଆଇଟିଆର୍ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା ଉକ୍ତ ଯୁବତୀ । ଆଉ ତା’ ମାୟାରେ ପଡ଼ି ବାବୁରାମ ବିଭିନ୍ନ କ୍ଷେପଣାସ୍ତ୍ର, ତାର ପରୀକ୍ଷଣ, ଫଟୋ, ଭିଡିଓ ଓ ପ୍ରତିରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଗୋପନ ତଥ୍ୟ ଲିକ୍ କରିଥିଲା । ଏହି ପରିପ୍ରେକ୍ଷୀରେ ଗତ ୨୪ ତାରିଖରେ ବାଲେଶ୍ୱର ପୋଲିସ ଏବଂ ସେଣ୍ଟ୍ରାଲ ଏଜେନ୍ସି ମିଳିତ ଭାବେ ତଦନ୍ତ କରି ବାବୁରାମକୁ ଗିରଫ କରିଥିଲା । ତାଙ୍କ ବିରୋଧରେ ଧାରା ୧୨୦-ଏ/୧୨୦-ବି/୩୪ ଆଇପିସି ସେକ୍ସନ୍ ୩, ୪, ୫, ୧୯୨୩ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ ବିରୋଧରେ ଚାନ୍ଦିପୁର ଥାନା ମାମଲା (ନଂ. ୨୫ ।୨୩) ରୁଜୁ କରାଯାଇଥିଲା । ଏହାପରେ ତାଙ୍କୁ ୪ଦିନିଆ ରିମାଣ୍ଡରେ ଆଣିଥିଲା ବାଲେଶ୍ୱର ପୋଲିସ । ଏହି ରିମାଣ୍ଡ ଅବଧିରେ ଜେରାବେଳେ ତାଙ୍କ ଠାରୁ ଅନେକ ତଥ୍ୟ ମିଳିଛି । ବାବୁରାମ ବ୍ୟବହାର କରିଥିବା ଲାପ୍ଟପ୍, ମୋବାଇଲ୍, ପେନ୍ ଡ୍ରାଇଭ୍ ସମେତ ୬ଟି ଇଲେକ୍ଟ୍ରୋଟିକ୍ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଜବତ ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ପରୀକ୍ଷଣ ନିମନ୍ତେ କୋଲାକାତା ଓ ଦିଲ୍ଲୀ ସ୍ଥିତ ଫରେନ୍ସିକ୍ ଟେକ୍ନିକାଲ ଲାବ୍ରୋଟୋରିକୁ ପଠାଯିବ । ବାବୁରାମଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଛି । ପାକିସ୍ତାନର ଯେଉଁ ଯୁବତୀଙ୍କ ହନିଟ୍ରାପ୍ରେ ବାବୁରାମ ଫସିଥିଲେ, ସେ ସମୟରେ କିଛି ଆର୍ôଥକ ଅନୁଗ୍ରହ ସମ୍ପର୍କରେ ପ୍ରମାଣ ମିଳିଛି । ତେବେ ବାବୁରାମଙ୍କୁ ଅଧିକ ପଚରାଉଚରା ପାଇଁ ଆଉଥରେ ରିମାଣ୍ଡ ଆବେଦନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।
