ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ସୋର : ବାଲେଶ୍ୱର ଜିଲା ସୋର ଥାନା ତଳନଗର ପଞ୍ଚାୟତ ହାବେଳି ଗଣ୍ଡତରା ଗ୍ରାମରେ ଶୁକ୍ରବାର ସକାଳେ ଏକ ନିମ୍ବ ଗଛରୁ ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ଏନେଇ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ଗ୍ରାମର ସୁଦାମ ମହାକୁଡ଼ଙ୍କ ପୁଅ ମାନସ (୨୩) ଗତ ଗୁରୁବାର ସନ୍ଧ୍ୟାରେ କାଳୀପୂଜା ଦେଖିବାକୁ ଯାଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରିବା ପରେ ତାଙ୍କୁ ପାଇନଥିଲେ । ଶୁକ୍ରବାର ସକାଳେ ତାଙ୍କର ମୃତ ଦେହ ଗାଁ ମୁଣ୍ଡରେ ଥିବା ଏକ ନିମ୍ବ ଗଛରେ ଝୁଲୁଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇ ପରିବାର ଲୋକଙ୍କୁ ଜଣାଇବା ସହିତ ସୋର ପୋଲିସକୁ ଖବର ଦେଇଥିଲେ । ସୋର ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ସୋର ଡାକ୍ତରଖାନାକୁ ନେବା ସହିତ ଏକ ମାମଲା (ନଂ. ୮୭/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କିନ୍ତୁ ମାନସଙ୍କ ବାପା ତାଙ୍କୁ ହତ୍ୟା କରାଯାଇ ଗଛରେ ଟାଙ୍ଗି ଦେଇଥିବା ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଯେ, ମାନସ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା ବେଳେ ଗତ ମାସ ହାଇଦ୍ରାବାଦର ତାଙ୍କ ସହ ରହୁଥିବା ଜଣେ ସାଙ୍ଗ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ପରେ ମାନସ ତାଙ୍କ ମୃତ ଦେହ ନେଇ ଗ୍ରାମକୁ ଆସିଥିଲେ । ସାଙ୍ଗର ମୃତ ଦେହ ନେଇ ଆସିବା ପରେ ଏହି ଆତ୍ମହତ୍ୟା ଘଟଣାରେ ମାନସ ସମ୍ପୃକ୍ତ ଥିବା ସାଙ୍ଗର ପରିବାର ଲୋକେ ଅଭିଯୋଗ କରିବା ସହ ବିଭିନ୍ନ ସମୟରେ ମାନସକୁ ମାନସିକ ନିର୍ଯାତନା ଦେଉଥିଲେ । ଏହି ଘଟଣାକୁ ନେଇ ମାନସ କିଛି ଦିନ ହେବ ମାନସିକ ଦୁଃଶ୍ଚିନ୍ତାରେ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।
