ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା; ଚୋରି ଅଭିଯୋଗରେ ଯୁବକ ଅଟକ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଜାମୁନିଆ ଅଙ୍ଗନୱାଡ଼ି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି । ସକାଳେ ଏହି କେନ୍ଦ୍ରର ତାଲା ଖୋଲି ପିଲାଙ୍କ ଖାଦ୍ୟ ସାମଗ୍ରୀ, କାଠ ପଟା ଆଦି ଚୋରି କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଗ୍ରାମର ଯୁବକ ରାମହରି ଲେଙ୍କା, ଗ୍ରାମର ଡ୍ରାଇଭର ମିହିର ବିଶ୍ୱାଳ ଭ୍ୟାନ (ନଂ. ଓଡ଼ି୦୧ୟୁ-୬୪୩୧) ଯୋଗେ କେନ୍ଦ୍ରରୁ ଖାଦ୍ୟ ସାମଗ୍ରୀ ଓ କାଠ ପଟା ଲୋଡ଼ିଂ କରିଥିବା ବେଳେ ଗାଁ ଲୋକଙ୍କ ନଜରରେ ପଡ଼ିଥିଲେ । ସେଠାରେ ଅଙ୍ଗନୱାଡ଼ି କର୍ମୀ ନ ଥିବାରୁ ସନ୍ଦେହ ଉପୁଜିଥିଲା । କେନ୍ଦ୍ରର ଚାବି କେଉଁଠୁ ଆଣିଲ ବୋଲି ସେମାନଙ୍କୁ ପଚରାଯାଇଥିଲା । ଭ୍ୟାନ୍ ସହ ରାମହରି ଲେଙ୍କାକୁ ଅଟକ ରଖି ଗାଁ ଲୋକେ ସକାଳ ୮ଟାରୁ ଆଇଆଇସି ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସିଡ଼ିପିଓଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ ।
ଅଙ୍ଗନୱାଡ଼ି କର୍ମୀ ମିଟିଂ ଅଛି କହି ଘଟଣା ସ୍ଥଳରେ ପହଞ୍ôଚ ନ ଥିଲେ । ଫଳରେ ଉତ୍ତେଜନା ଦେଖାଦେଇଥିଲା । ଦିନ ୨ଟା ସମୟରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା । ଅଟକ ଯୁବକ ଓ ଭ୍ୟାନକୁ ପୋଲିସ ଥାନାକୁ ଆଣିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଅଙ୍ଗନୱାଡ଼ି କର୍ମୀଙ୍କ ସଲାସୁତୁରାରେ ରାମହରି ଲେଙ୍କା ଓ ମିହିର ବିଶ୍ୱାଳ କେନ୍ଦ୍ରରୁ ପିଲାଙ୍କ ଖାଦ୍ୟ ସାମଗ୍ରୀ, ଆସବାବପତ୍ର ଓ କାଠ ପଟା ଆଦି ଚୋରି କରୁଥିବା ମାତୃ କମିଟି, ଗ୍ରାମବାସୀ ଟିକିମଣୀ ବେହେରା, ମମତା ବେହେରା, ଶୀତୁ ସିଂ, ଚୁମକି ସିଂ, ଉଷା ସିଂ, ଦିବାକର ମହାନ୍ତି, ଶ୍ରୀଧର ସିଂ, ପଦ୍ମଲୋଚନ ସିଂ, ୱାର୍ଡ଼ ସଭ୍ୟା ମିଲୁ ବେହେରା ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି ଉକ୍ତ କେନ୍ଦ୍ରରେ କାଠପଟା ଗଦା କରି ଅଳିଆ ଆବର୍ଜନା ସୃଷ୍ଟି ହୋଇ ଅସ୍ୱାସ୍ଥ୍ୟକର ପରିବେଶରେ ପିଲାମାନଙ୍କୁ କର୍ମୀ ଜଣକ ପଢ଼ାଇ ଆସୁଥିବା ଅବିଭାବକ କହିଛନ୍ତି ।
ଏ ସଂକ୍ରାନ୍ତରେ ଆଇସିଡ଼ିଏସ ସୁପରଭାଇଜର ମେରୀ କିସ୍କୁ ଦୁଲାରୀଙ୍କୁ ପଚରାଯିବାରୁ ଏହି ନୂତନ ଅଙ୍ଗନୱାଡ଼ି କେନ୍ଦ୍ରକୁ ଠିକାଦାର ବିଭାଗକୁ ହସ୍ତାନ୍ତର କରିନଥିବା କହି ଘଟଣା ସମ୍ପର୍କରେ ବୁଝୁଛି ବୋଲି କହିଥିଲେ । ଅଙ୍ଗନୱାଡ଼ି କର୍ମୀ ସୁମିତ୍ରା ରାଉତ ଠିକାଦାରଙ୍କ ପାଖରେ ଥିବା ଅନ୍ୟ ଚାବିରେ ତାଲା ଖୋଲି ମିସ୍ତ୍ରୀ ସେଣ୍ଟ୍ରିଙ୍ଗ ପଟା ନେଉଥିଲେ ବୋଲି କହିଛନ୍ତି ।
