ବିବାହର ୪ମାସ ପରେ ନବବଧୂଙ୍କ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ଥାନା କାଞ୍ଚପଡ଼ା ପଞ୍ଚାୟତ ଅଧୀନ ଗୋପିବିନ୍ଧା ଅଞ୍ଚଳର କାଦମ୍ବିନୀ ଓରଫ ଶିବାନୀ ଯେନା ନାମକ ଜଣେ ମହିଳାଙ୍କ ମୃତ୍ୟୁ ଗତ ଗୁରୁବାର ରାତ୍ରିରେ ଘଟିଛି । ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି । ଶ୍ୱଶୁର ଘର ପକ୍ଷରୁ ଏହାକୁ ଅସୁସ୍ଥତା ଜନିତ ମୃତ୍ୟୁ କୁହାଯାଉଥିବା ବେଳେ ବାପଘର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି । ଅପରପକ୍ଷେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ସୂଚନା ଯେ, ସିମୁଳିଆ ଥାନା ଅନନ୍ତପୁର ଅଞ୍ଚଳର ଅନାଦି ଚରଣ ଯେନାଙ୍କ କନ୍ୟା କାଦମ୍ବିନୀ ଗତ ୧୩ା୦୬ା୨୨ରେ ଗୋପୀବିନ୍ଧା ଅଞ୍ଚଳର ରମାକାନ୍ତ ଯେନାଙ୍କ ପୁତ୍ର ମାନଗୋବିନ୍ଦଙ୍କୁ ବିବାହ କରିଥିଲେ । ମାନଗୋବିନ୍ଦ କମ୍ପାନୀ ଚାକିରୀ କରୁଥିବାରୁ ବାହାରେ ରହୁଥିବା ବେଳେ ଅଧିକ ୧ଲକ୍ଷ ଟଙ୍କା ଦାବୀ କରି କାଦମ୍ବିନୀଙ୍କୁ ତାଙ୍କ ଶ୍ୱଶୁର ରମାକାନ୍ତ ଓ ଶାଶୁ ବାସନ୍ତି ନିର୍ଯ୍ୟାତନ ଦିଆଯାଉଥିବାର ତାଙ୍କ ବାପା ଅନାଦି ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଗୁରୁବାର ରାତ୍ରିରେ ପେଟ ଗ୍ୟାସ ହୋଇଯିବାରୁ କାଦମ୍ବିନୀଙ୍କୁ ଭଦ୍ରକ ଡାକ୍ତରଖାନାକୁ ନିଆଯାଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବାର ତାଙ୍କ ଶ୍ୱଶୁର ରମାକାନ୍ତ କହିଛନ୍ତି । ଭଦ୍ରକରେ କାଦମ୍ବିନୀଙ୍କ ମୃତ୍ୟୁ ଘଟିଥିବାରୁ ସେଠାକାର ପୋଲିସ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ କରାଯାଇଥିବ । ତେବେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।
