କମିସନରେଟ୍ ପୋଲିସର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ! ଅପରାଧୀଙ୍କୁ ସାବାଡ୍ ପାଇଁ ଆଜିଠୁ ପ୍ରତି ରବିବାର ଜେଲ୍ ପରେଡ୍
ଭୁବନେଶ୍ୱର : ଅପରାଧୀଙ୍କୁ ସାବାଡ୍ କରିବା ପାଇଁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ବିଶେଷ କରି ଜାମିନ୍ରେ ଆସି ବାରମ୍ବାର ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ। ଏଥିପାଇଁ ଆଜି ଠାରୁ ଝାରପଡ଼ା ସ୍ବତନ୍ତ୍ର କାରଗାରରେ ଜେଲ୍ ପରେଡ୍ ଆରମ୍ଭ ହେବ। ରାଜଧାନୀର ସମସ୍ତ ଥାନାର ଇନ୍ସପେକ୍ଟର ଓ ଏସ୍ଆଇ ପ୍ରତି ରବିବାର ଜେଲ୍ ପରିଦର୍ଶନ କରି ଗିରଫ କରିଥିବା ଅଭିଯୁକ୍ତଙ୍କ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବେ।
ଯେପରିକି କାରାଗାରର ସେଲ୍ରେ ରହିବା ସମୟରେ କାହା ସହ ବନ୍ଧୁତା ସ୍ଥାପନ କରୁଛନ୍ତି, ମୁଲାକାତ୍ରେ କାହା ସହ ଭେଟୁଛନ୍ତି, ଜେଲ୍ରେ ରହି ବାହାରେ ଅପରାଧ ଘଟାଇବାକୁ ଯୋଜନା କରାଯାଉଛି କି; ଏହିଭଳି ସବୁ ଦିଗ ତର୍ଜମା କରାଯିବ। ପରେ ପ୍ରତି ରବିବାର ସକାଳ ସାଢ଼େ ୭ଟାରୁ ୮ଟା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧାଡ଼ିରେ ଛି଼ଡ଼ା କରାଇ ସେମାନଙ୍କର ପରେଡ୍ କରାଯିବ ଅର୍ଥାତ୍ ବିସ୍ତୃତ ତଥ୍ୟ ନିଆଯିବ। ଫଳରେ ଜାମିନ୍ରେ ବାହାରିବା ସମୟରେ ଅପରାଧୀଙ୍କ ବାବଦରେ ସ୍ଥାନୀୟ ଥାନା ପାଖରେ ସୂଚନା ରହିଥିବ। ଆଗକୁ କେଉଁ ତରିକାରେ କି କି ଅପରାଧ ଘଟାଇବେ, ସେନେଇ ମଧ୍ୟ ପୁଲିସ ପୂର୍ବ ପ୍ରସ୍ତୁତି ରହିଥିବ। ରାଜଧାନୀରୁ ଲୁଟପାଟ୍, ଛିନ୍ତାଇ, ଚୋରି, ଡକାୟତି ଆଦି ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
