ପ୍ରବଳ ବର୍ଷାରେ ଭାସିଲା ରାଜଧାନୀ
ଭୁବନେଶ୍ୱର : ପ୍ରବଳ ବର୍ଷାରେ ଭାସିଲା ରାଜଧାନୀ । ସୋମବାର ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେପାଣି ଜମିବା ସହ ତଳିଆ ଅଂଚଳରେ ପାଣି ପଶିଯାଇଥିଲା । ଅଚାନକ ବର୍ଷା ଫଳରେ ଭୁବନେଶ୍ୱରର ବିଭିନ୍ନ ଛକ ସ୍ଥାନରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ଦିନ ୨ଟା ୩୦ମିନିଟ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୪୬.୮ ମିମି ବର୍ଷା ରେକର୍ଡ ହୋଇଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାର ସକାଳୁ ଭୁବନେଶ୍ୱରରେ ପାଗ ଖରାଟିଆ ରହିଥିଲା । ପରେ ପାଗ ମେଘୁଆ ହୋଇଥିବା ବେଳେ ଅପରାହ୍ନ ପ୍ରାୟ ୧ଟା ବେଳକୁ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ପାଖାପାଖି ୪୫ ମିନିଟ୍ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ ହୋଇଯାଇଥିଲା । ରାସ୍ତା ଗୁଡିକ ବୁଡିଯାଇଥିଲା । ରାଜରାସ୍ତା ଉପରେ ପାଣି ଲହଡି ମାରୁଥିଲା । ରାସ୍ତା ଉପରେ ରହିଥିବା କାର, ବାଇକ୍ ବୁଡି ଯାଇଥିଲା । ରାସ୍ତାରେ ଯାଉଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ପ୍ରବଳ ବର୍ଷା ଫଳରେ ଇସ୍କନ ସମ୍ମୁଖରେ ପୁଣି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ମେଂଚଶ୍ୱର, ପଳାଶୁଣି , ପୁରୁଣା ଭୁବନେଶ୍ୱର ର ତଳିଆ ଅଂଚଳରେ ପାଣି ପଶିଯାଇଥିଲା । ହଠାତ୍ ବର୍ଷା ହେବାରୁ କିଛି ପଥଚାରୀ ଓଭର ବ୍ରିଜ୍ ତଳେ ଆଶ୍ରୟ ନେଇଥିବାର ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ରାଜମହଲ, କଳ୍ପନା, ସିଆରପି , ଜୟଦେବ ବିହାର ଆଦି ଛକରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ଲଘୁଚାପ ସୃଷ୍ଟି ହୋଇଥିବାରୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ ।
