ବର୍ଷା ଅନୁଭବ ବିବାଦ କୋର୍ଟଙ୍କ ବାରଣ ସତ୍ୱେ ସୋସିଆଲ ମିଡିଆରେ ଶୀତଳ ଯୁଦ୍ଧ
କଟକ : କିଛି ଦିନର ନିରବତା ପରେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍ରେ ଶୁଭୁଥିବା ସ୍ୱର କାହାର ବୋଲି ଟ୍ୱିଟର୍ରେ ପଚାରିଛନ୍ତି ଅନୁଭବ । ହେଲେ ଅପର ପକ୍ଷରୁ ଜବାବ ମିଳିନି । ଉଭୟ ବର୍ଷା ଓ ଅନୁଭବଙ୍କ ଦାମ୍ପତ୍ୟ କଳି ଦିନକୁ ଦିନ ବିବାଦୀୟ ମୋଡ ନେବାରୁ କେହି କାହାକୁ ଆକ୍ଷେପ ନ କରିବାକୁ କୋର୍ଟଙ୍କ କଡା ନିର୍ଦ୍ଦେଶ ରହିଥିବା ସତ୍ୱେ ପୁଣି ସୋସିଆଲ ମିଡିଆରେ ଅଡିଓ ଭାଇରାଲ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପକୁ ନିଜ ଟ୍ୱିଟର ପେଜ୍ରେ ପୋଷ୍ଟ କରିଛନ୍ତି ଅନୁଭବ । ଏଥିରେ ଥିବା ସ୍ୱର ବର୍ଷା କିମ୍ବା ତାଙ୍କ ଭଉଣୀଙ୍କର କି ନାହିଁ ତାହା ସ୍ପଷ୍ଟ କରିବାକୁ ଅନୁଭବ ଲେଖିଛନ୍ତି । ଏହାକୁ ନେଇ ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଦର୍ଶାଇ ଅନୁଭବ ଏହାର ଉତ୍ତର ଆଶା କରିଛନ୍ତି । ଅନୁଭବ ଆହୁରି ଲେଖିଛନ୍ତି ଏପରି କରି ବର୍ଷାଙ୍କୁ ଆଘାତ ଦେବା କିମ୍ବା ତାଙ୍କ ପ୍ରତିଛବିକୁ ମଳିନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ବହୁବାର ଅପମାନିତ ଓ ନିର୍ଯାତିତ ହେବା ପରେ ସେ ଟ୍ୱିଟ୍ କରି ଏଭଳି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ପାରିବାରିକ ବିବାଦ ମାମଲାରେ ଗତ ୧୪ ତାରିଖରେ ଉଭୟ ଅନୁଭବ ଓ ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପରେ ଫ୍ୟାମିଲି କୋର୍ଟ ଜଜ ତାଙ୍କ ଚାମ୍ବରରେ ଉଭୟଙ୍କ ସହ ଆଲୋଚନା କରିଥିଲେ । ଏହାର କିଛି ଦିନ ପରେ ପୁଣି ଥରେ ଅନୁଭବଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।
।
