ସିଏମସି କଲ୍ ସେଣ୍ଟର ଉଦ୍ଘାଟିତ
କଟକ : ଆଜି ପୂର୍ବାହ୍ନରେ କଟକ ମହାନଗର ନିଗମ (ସିଏମସି) ବିକାଶ ଭବନସ୍ଥିତ କାର୍ଯ୍ୟାଳୟରେ ନୂତନ ଭାବେ ଏକ କଲ୍ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି । ମେୟର ସୁବାସ ସିଂ ଏହି ସେଣ୍ଟରଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କଲ୍ ସେଣ୍ଟର ମାଧ୍ୟମରେ ସହରର ସାଧାରଣ ଜନତାଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସେବାଗୁଡିକ ସହଜରେ ଉପଲବ୍ଧ କରାଯାଇପାରିବ । ପୂର୍ବରୁ ସିଏମସି ପକ୍ଷରୁ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଲୋକଙ୍କ ଅଭିଯୋଗ ପଞ୍ଜିକୃତ କରାଯାଇ ବିଭିନ୍ନ ବିଭାଗକୁ ଏହାର ସମାଧାନ ପାଇଁ ଅବଗତ କରାଯାଉଥିଲା । ବର୍ତ୍ତମାନ ସାଧାରଣ ଜନତା କଲ ସେଣ୍ଟର ମାଧ୍ୟମରେ ସେମାନଙ୍କର ଅଭିଯୋଗ ଦାଖଲ କରିବେ । ଯାହାକି କମ୍ପ୍ୟୁଟରରେ ଅନ୍ଲାଇନ୍ ଦ୍ୱାରା ତୁରନ୍ତ ପଞ୍ଜୀକରଣ କରାଯାଇ ତ୍ୱରିତ୍ ବେଗରେ ସମସ୍ୟାର ସମାଧାନ ପାଇଁ ସଂପୃକ୍ତ ବିଭାଗକୁ ଜଣାଇ ଦିଆଯିବ ଏବଂ ଅଭିଯୋଗକାରୀଙ୍କୁ ଏ ସଂପର୍କରେ ଏସ୍ଏମ୍ଏସ୍ ମାଧ୍ୟମରେ ଅବଗତ କରାଯିବ । ଅଭିଯୋଗକାରୀ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ୧୮୦୦୩୪୫୬୭୨୮ ଫୋନ ନମ୍ବର ବ୍ୟବହାର କରିବେ । ଏହି କଲ୍ ସେଣ୍ଟର ଦିନ ରାତି ୨୪ ଘଣ୍ଟା କାର୍ଯ୍ୟ କରିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି । ଉଦ୍ଘାଟନୀ ଉତ୍ସବରେ ମେୟର ଶ୍ରୀ ସିଂଙ୍କ ସମେତ ଡେପୁଟି ମେୟର ଦମୟନ୍ତୀ ମାଝି, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, କର୍ପୋରେଟର ପ୍ରଦୀପ୍ତ କୁମାର ଖୁଣ୍ଟିଆଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ ।
