୪ ବାଇକ୍ ଲୁଟେରା ଗିରଫ, ୧୧ ମୋଟରସାଇକେଲ ଜବତ
କଟକ : ଲାଲବାଗ ଥାନା ପୋଲିସ ୪ ଜଣ କୁଖ୍ୟାତ ବାକ୍ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୧ଟି ବାଇକ୍ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ସମସ୍ତେ ଜଗତସିଂହପୁର ଜିଲ୍ଲା ମାରିଚପଡାର ଧନେଶ୍ୱର ସିଂହ(୪୯), ମାର୍କଣ୍ଡପୁରର ବଗ ଓରଫ ଜୟନ୍ତ କୁମାର ଦାସ(୪୫) ଓ ଶରତ କୁମାର ବେହେରା(୪୦) ଏବଂ ମୁନା ଓରଫ ରଂଜିତ ସ୍ୱାଇଁ(୨୨) । ପୋଲିସ ପ୍ରଦତ୍ତ ସୂଚନା ମୁତାବକ, ଏସଆଇ ଅବିନାଶ ରାଉତ ଅନ୍ୟ ଥାନା କର୍ମଚାରୀଙ୍କ ସହିତ ଡିପିଓ ଗଡା ନିକଟରେ ଗାଡି ଯାଂଚ କରୁଥିବା ସମୟରେ ବାଇକରେ ଯାଉଥିବା ଜୟନ୍ତ ଓ ରଂଜିତଙ୍କୁ ଅଟକାଇ ପଚରା ଉଚରା ବେଳେ ତାଙ୍କର ବାଇକ୍ ଚୋରି ଗାଡି ବୋଲି ଜଣାପଡିଥିଲା । ଅଧିକ ଖୋଳତାଡ ବେଳେ ସେମାନେ ଅନ୍ୟ ସହଯୋଗୀମାନଙ୍କ ସହିତ ମିଶି ଅନେକ ଗାଡି ଚୋରି କରିଥିବା ସ୍ୱୀକାର କରିଥିଲେ । ପୋଲିସ ସମୋନେ ଚୋରି କରିଥିବା ସମୁଦାୟ ୧୧ଟି ବାଇକକୁ ଜବତ କରିବା ସହ ୪ଟି ମୋବାଇଲ ଫୋନ ଜବତ କରିବାରେ ସଫଳ ହୋଇଥିଲା । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।
