ବାଲେଶ୍ୱରବାସୀଙ୍କୁ ନୂଆବର୍ଷର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ! ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
ବାଲେଶ୍ୱର : ବାଲେଶ୍ୱରବାସୀଙ୍କୁ ନୂଆବର୍ଷର ନୂଆ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ବାଲେଶ୍ୱର ଗସ୍ତରେ ଆସି ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିସନ ଶକ୍ତି ଋଣ ସହାୟତା ପ୍ରଦାନ କରିଛନ୍ତି । ଏହି ରାଶି ବାଲେଶ୍ୱର ଜିଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ଅଭିନବ ପଦକ୍ଷେପ ‘ଏକ ଗ୍ରାମ ପଞ୍ଚାୟତ ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ନୂତନ ପାହାଚରେ ପହଞ୍ଚାଇବାରେ ସହଯୋଗ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


ଆଜି ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ୧୧ଟା ୧୫ରେ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିଥିଲେ। ପରେ ବାଲେଶ୍ୱରର ଶୋଭାରାମପୁର ନୂଆ ରେଲୱେ ଓଭରବ୍ରିଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରେଳ ଓଭର ବ୍ରିଜରେ ଚାଲି ଚାଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଜଉ କଣ୍ଢେଇ ଗ୍ରୁପର ମହିଳାମାନେ ପୋଲିସ ରିଜର୍ଭ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ପ୍ରକଳ୍ପର ଶୁଭାରମ୍ଭ କରି ମୁଁ ବହୁତ ଖୁସି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ବାଲେଶ୍ୱର ସବୁଠି ଆଗରେ। ମା’ ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି। ୨୨୦ କୋଟି ଟଙ୍କା ସହାୟତା ବଣ୍ଟନ କରି ବହୁତ ଖୁସି। ବିନା ସୁଧରେ ବାଲେଶ୍ୱରର ୬୦ ହଜାର ଗୋଷ୍ଠୀ ସଦସ୍ୟା ସୁବିଧା ପାଇବେ। ପ୍ରତି ପଞ୍ଚାୟତ ଗୋଟିଏ ଗୋଟିଏ ୟୁନିକ୍ ପ୍ରଡକ୍ଟ କରନ୍ତୁ, ଯାହା ଫଳରେ ପ୍ରତି ପଞ୍ଚାୟତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ । କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବାଲେଶ୍ୱର ବିଧାୟକ ସ୍ବରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋରୋ ବିଧାୟକ ପର୍ଶୁରାମ ଧଡ଼ା, ଭୋଗରାଇ ବିଧାୟକ ଅନନ୍ତ ଦାସ, ବାଲେଶ୍ଵର ପୌରାଧ୍ୟାକ୍ଷା ସବିତା ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ।
