ବାଲେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବାଲେଶ୍ୱର : ବାଲେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ପୋଲିସ ପରେଡ୍ ଗ୍ରାଉଣ୍ଡରେ ଓଲ୍ହାଇଛନ୍ତି ମୁଖ୍ୟମନ୍ତ୍ରୀ । ପୋଲିସ ପରେଡ୍ ଗ୍ରାଉଣ୍ଡରେ ଜନ ସମାଗମ ଦେଖିବାକୁ ମିଳିଛି । ପୋଲିସ ଲାଇନ୍ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ ସହିତ ୧୫ ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ସ୍ବତନ୍ତ୍ର ଟେଣ୍ଟ ପ୍ରସ୍ତୁତ କରାଯାଇଛି ।
ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ୩ଜଣ ଅତିରିକ୍ତ ଏସ୍ପି, ୧୨ଜଣ ଡିଏସ୍ପି, ୩୪ଜଣ ଇନ୍ସପେକ୍ଟର, ୯୫ ଜଣ ସବ୍-ଇନ୍ସପେକ୍ଟର/ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ୩୩ ପ୍ଲାଟୁନ ଫୋର୍ସଙ୍କ ସମେତ ୧୦୩ ଜଣ ରିଜର୍ଭ ପୋଲିସ, ୭୮ ଜଣ ହୋମ୍ଗାର୍ଡ଼ଙ୍କ ଦ୍ୱାରା ହେଲିପେଡ୍, କାରକେଡ୍, ସଭାସ୍ଥଳୀ, ଶୋଭାରାମପୁର ନୂତନ ବ୍ରିଜ୍ ଉଦ୍ଘାଟନୀ ସ୍ଥଳୀ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାର୍କିଂ ପାଇଁ ନିୟୋଜିତ ହୋଇଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ଦୃଷ୍ଟିରୁ ଯାନବାହାନକୁ ଆଇଟିଆଇ ପଡ଼ିଆ, ମିଶନ ପଡ଼ିଆ, ସରକାରୀ ଆଇଟିଆଇ ପରିସର, ଆର୍ଟିଓ ଅଫିସ୍ ପରିସର, ଜିଲା ସ୍କୁଲ ପଡ଼ିଆ, ଫକୀରମୋହନ କଲେଜ ପଡ଼ିଆରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଭିଆଇବି ଏବଂ ପ୍ରଶାସନ ଅଧିକାରୀଙ୍କ ପାଇଁ ଏନ୍ଏଚ୍ ଆଇଭି ପରିସରରେ ବ୍ୟବସ୍ଥା କରାଯାଇଥିବାର ଜଣାପଡ଼ିଛି । ସୂଚନା ଯେ, ଜିଲାରେ ୧୮୦୬ କୋଟି ଟଙ୍କାର ୧୯୧ଟି ଉନ୍ନତିମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ସହ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।
