ବାଲେଶ୍ୱରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବିଭ୍ରାଟ ଓ ରେଳ ଚଳାଚଳ ସ୍ୱାଭାବିକ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ସିଭିଲ୍ ସୋସାଇଟି
ବାଲେଶ୍ୱର : ବାଲେଶ୍ୱର ଜିଲାର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା, ବିଦ୍ୟୁତ୍ ଯୋଗାଣରେ ବିଭ୍ରାଟ, କରୋନା ସମୟରେ ବନ୍ଦଥିବା ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ ପୂର୍ବଅବସ୍ଥାକୁ ଫେରାଇ ଆଣିବା ଓ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଭୃତି ଦାବିରେ ସିଭିଲ୍ ସୋସାଇଟି ପକ୍ଷରୁ ବ୍ୟାପକ ଆନ୍ଦୋଳନପାଇଁ ଶୁକ୍ରବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତିଗ୍ରହଣ କରାଯାଇଛି । ସ୍ଥାନୀୟ ଉଠାଜଳସେଚନ କର୍ମଚାରୀ ଭବନରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୋସାଇଟିର ସଂପାଦକ ତଥା ଓକିଲ ସଂଘର ସଭାପତି ମନୋଜ ନାୟକ ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ ଚୋରି, ଛିନ୍ତାଇ, ରାହାଜାନୀ ଅବାଧ ନିଶା କାରବାର ରୋକିବାରେ ବାଲେଶ୍ୱର ଜିଲ୍ଲା ପୋଲିସ୍ର ଅପାରଗତାର ତୀବ୍ର ସମାଲୋଚନା କରିଥିଲେ । ସେହିପରି ମଧ୍ୟ ବିଦ୍ୟୁତ୍ ଯୋଗାଣରେ ଅନିୟମିତତା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଓ ପାନୀୟ ଜଳଯୋଗାଣ ଜନସାଧାରଣ ଅତିଷ୍ଟ ହୋଇପଡ଼ିଲେଣି । ଦୀର୍ଘ ୨ବର୍ଷ ଧରି କରୋନା ଆଳରେ ରେଳବିଭାଗ ପକ୍ଷରୁ ବନ୍ଦଥିବା ସମସ୍ତ ଯାତ୍ରୀବାହୀଙ୍କ ରେଳ ଚଳାଚଳକୁ ସ୍ୱାଭାବିକ କରିବା ସହ ବାଲେଶ୍ୱର ରେଳଷ୍ଟେସନର ବିକାଶ ପାଇଁ ବାଲେଶ୍ୱର ସାଂସଦ ଭିତ୍ତିପ୍ରଦାନ କରିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ପୂର୍ବରୁ ଦିାଯାଇଥିବା ରେଳଯାତ୍ରା ଟିକଟରେ ରିହାତିକୁ ପୁନଃଚଳନ କରିବା ପାଇଁ ଦାବି କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱର-ମେଡିକାଲ୍ କଲେଜ୍ ହସପିଟାଲରେ ସମସ୍ତ ବିଭାଗ ଖୋଲିବାସହ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଓ ଏମ୍ସ ସାଟେଲାଇଟ୍ ସେଣ୍ଟରକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଅନେକ ସଭ୍ୟ ମତ ପ୍ରକାଶ କରିଥିଲେ ।
ଆସନ୍ତା ମେ ୪ ତାରିଖ ସିଭିଲ୍ ସୋସାଇଟି ପକ୍ଷରୁ ଉପରୋକ୍ତ ବିଭିନ୍ନ ଦାବିନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଦାବିପତ୍ର ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ଦିଆଯିବାଲାଗି ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହିସବୁ ସମସ୍ୟା ଓ ଦାବି ପ୍ରତି ସୁବିଚାର କରାନଗଲେ ସିଭିଲ୍ ସୋସାଇଟି ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଅରୁଣ ଜେନା, ବେଣୁଧର ସାହୁ, ଅଜିତ୍ ବରାଳ, ପ୍ରଦୀପ ଚାଟାର୍ଜୀ, ଶ୍ୟାମସୁନ୍ଦର ଜେନା, ପରମାନନ୍ଦ ପଣ୍ଡା, ସୀତାରାମ ପ୍ରଧାନ, ସଚିନ୍ଦ୍ର ଦାସ, ମନ୍ମଥ ମହାନ୍ତି, ସଞ୍ଜିତ୍ ପତି ଓ ହରେକୃଷ୍ଣ ନାୟକ, ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଇନ୍ଜୀବୀ ନିରଞ୍ଜନ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
