ବଲିଆପାଳରେ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣକୁ ବିରୋଧ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଥିବା ଗ୍ରେନ ଗୋଲା ପଡ଼ିଆରେ ଶନିବାର ନୂଆ ଭାବରେ ନିର୍ମାଣ ହେବାକୁ ଯାଉଥିବା ବସ୍ଷ୍ଟାଣ୍ଡକୁ ବାଲିଆପାଳ ଅଞ୍ଚଳର ଶତାଧିକ ଲୋକେ ବିରୋଧ କରିବା ସହିତ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ବିରୋଧ କରାଯାଇ କାର୍ଯ୍ୟରତ ବୋରିଂ ମେସିନକୁ ପଡ଼ିଆରୁ ଉଠେଇ ଦିଆଯାଇଥିବାର ସୂଚନା ମିଲିଛି ।
ସୂଚନା ଅନୁସାରେ ନୂଆ ଭାବରେ ବସ୍ଷ୍ଟାଣ୍ଡ ନିର୍ମାଣ ହେଉଥିବା ପଡ଼ିଆ ଏକ ମିନି ଷ୍ଟାଡ଼ିୟମ ଭାବରେ ମାନ୍ୟତା ପାଇ ପଡ଼ିଆର ଦୁଇ ପାଶ୍ୱର୍ରେ ବାଉଣ୍ଡ୍ରି ନିର୍ମାଣ କରାଯାଇ ଦର୍ଶକଙ୍କ ପାଇଁ ଗ୍ୟାଲେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ସରକାରଙ୍କର ବୈମାତୃକ ମନୋଭାବ ଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସମାପନ ହୋଇପାରି ନାହିଁ । ଏହାଛଡ଼ା ଉକ୍ତ ପଡ଼ିଆରେ ବାଲିଆପାଳ ମହୋତ୍ସବ ଦୀର୍ଘ ଦିନ ଧରି ଚାଲି ଆସୁଥିବା ସହିତ ବିଭିନ୍ନ ସମୟରେ ଏଠାରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗୀତା ହୋଇ ଆସୁଛି । ଏହି ସବୁକୁ ଦୃଷ୍ଟିରେ ରଖି ମହୋତ୍ସବ କମିଟି, ବାଲିଆପାଳ ଅଞ୍ଚଳ ବାସୀଙ୍କ ସହିତ ବହୁ ଖେଳ କମିଟିର ସଦସ୍ୟ ମାନେ ଉକ୍ତ ପଡ଼ିଆରୁ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରିଛନ୍ତି । ଏହାଛଡ଼ା ଆସନ୍ତା ସୋମବାର ଉକ୍ତ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ବାଲିଆପାଳ ତହସିଲଦାର ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯିବାର ସୂଚନା ମିଳିଛି ।
