ଆଜି କେନ୍ଦୁଝର ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ପ୍ରଶାସନ ତତ୍ପର
କେନ୍ଦୁଝର : କେନ୍ଦୁଝର ଧରଣୀଧର ମେଡ଼ିକାଲ କଲେଜ ଓ ଡାକ୍ତରଖାନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଣୁ ମେଡ଼ିକାଲ କଲେଜକୁ ସାଜସଜ୍ଜା କରିବା ସହ ଉକ୍ତ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାଘାଟ ସଫେଇ, ମରାମତି ଓ ସୌନ୍ଦର୍ଯ୍ୟକରଣ କରାଯାଇଛି । ସେହିପରି ନିକଟରେ ବିଜେଡି ବିଧାୟକମାନେ ସ୍ଥାନୀୟ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦାବି କରିଛନ୍ତି । ଏଣୁ ଉକ୍ତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିବେ ବୋଲି ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ସିଧାସଳଖ ମେଡ଼ିକାଲ କଲେଜକୁ ଆସି ସେଠାରେ ସମସ୍ତ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଭିତି ପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି । ସେହିପରି ନିର୍ମାଣ ଶେଷ ହୋଇଥିବା କେନ୍ଦୁଝର ସହରରେ ଥିବା ଏକ ଅଡିଟରିୟମର ଶୁଭାରମ୍ଭ ହେବା ସହ ବହୁ ପ୍ରକଳ୍ପର ଭିତିିଭୂମି ପକାଇବେ ବୋଲି ସୂଚନା ମିଳିଛି । ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ଉଦଘାଟନ କରି କେନ୍ଦୁଝର ଜିଲ୍ଲା ବାସୀଙ୍କ ମନରେ ଖୁସି ଦେବାକୁ ଯାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବଦା କଟକ ବଡ଼ ଡ଼ାକ୍ତରଖାନା ଉପରେ ନିର୍ଭର କରୁଥିବା ଜିଲ୍ଲା ବାସୀଙ୍କୁ ଏବେ କେନ୍ଦୁଝର ରେ ମିଳିବ ଉଚ୍ଚ ମାନର ଚିକିତ୍ସା ।
