କେନ୍ଦୁଝର ଦେଇ ଚଳାଚଳ କଲା ରାଂଚି-ଭେଲୁପୁରମ ଏକ୍ସପ୍ରେସ୍
କେନ୍ଦୁଝର : ଭାରତୀୟ ରେଳବାଇ ପକ୍ଷରୁ ରାଂଚିଠାରୁ ଭେଲୁପୁରମ ଭାୟା କେନ୍ଦୁଝର ଦେଇ ଏକ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ୍ ଟ୍ରେନ୍ ସାମୟିକ ଭାବେ ଚଳାଚଳ କରିଛି । ଦକ୍ଷିଣ-ପୂର୍ବ ରେଳବାଇର ସହକାରୀ ଟ୍ରାନ୍ସପୋର୍ଟ ମ୍ୟାନେଜର କୌଶିକ ମୁଖାର୍ଜୀଙ୍କ ଦସ୍ତଖତରେ ପ୍ରକାଶିତ ବିଜ୍ଞପ୍ତିରେ, ଏହି ସ୍ୱତନ୍ତ୍ର ଟ୍ରେନ୍ ସର୍ବମୋଟ୍ ୪ଥର ଯାତାୟାତ କରିବା ସହ ଏହା ଫେବୃୟାରୀ ୩ରୁ ୨୪ ଯାଏ ଚାଲିବ ବୋଲି ଚିଠି କରିଥିଲେ । ତେବେ ଏହା ନିୟମିତ କରିବାକୁ ସାଧାରଣରେ ଦାବି ହୋଇଛି । ଏହି ଟ୍ରେନ ଶନିବାର ସକାଳ ୮.୪୫ରେ କେନ୍ଦୁଝରଗଡ଼ ରେଳଷ୍ଟେଶନରୁ ବାହାରି ମଧ୍ୟାହ୍ନ ୧୨.୩୫ରେ ଭୁବନେଶ୍ୱରରେ ପହଂଚିଛି । ତେବେ ଏହା କେନ୍ଦୁଝର ଜିଲାର କେବଳ ହରିଚନ୍ଦନପୁର ଷ୍ଟେଶନରେ ମାତ୍ର ୨ମିନିଟ୍ର ରହଣି ଥିବାବେଳେ ଅନ୍ୟ କୌଣସି ଷ୍ଟେଶନରେ ଏହି ଟ୍ରେନ୍ ରହିବ ନାହିଁ । ଅନ୍ୟପକ୍ଷରେ ଫେରିବା ବେଳେ ଟ୍ରେନଟି ମଙ୍ଗଳବାର ସନ୍ଧ୍ୟା ୫ଟା୧୫ରେ ଭେଲୁପୁରମ ବାହାରି ବୁଧବାର କେନ୍ଦୁଝରଗଡ଼ ଷ୍ଟେଶନରେ ରାତି ୧୦.୫୦ରେ ପହଂଚିବ । ଅପ୍ ଟ୍ରେନ ନମ୍ବର ୦୮୦୬୮ ହୋଇଥିବା ବେଳେ ଡାଉନ ନମ୍ବର ୦୮୦୬୭ ଏକ୍ସପ୍ରେସ ଟ୍ରେନ ଅଟେ । ସୂଚନା ଅନୁସାରେ, ଏକ୍ସପ୍ରେସ ଟ୍ରେନଟି ପରୀକ୍ଷାମୂଳକ ଭାବେ ଚଳାଚଳ କରାଯାଇଥିବା ଜଣାପଡ଼ିଛି । ଶନିବାର କେନ୍ଦୁଝରଗଡ଼ ପ୍ଲାଟ୍ଫର୍ମରେ ବହୁ ଯାତ୍ରୀ ଟ୍ରେନରେ ଯାତ୍ରା କରିଛନ୍ତି । ତେବେ ସାମୟିକ ଭାବେ ଏହା ଚାଲିବା ସହିତ କେନ୍ଦୁଝରରୁ ଭୁବନେଶ୍ୱର ଦୂରତା ମାତ୍ର ୪ ଘଣ୍ଟା ରହିଥିବାରୁ ଏହାକୁ ନିୟମିତ କରିବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଷ୍ଟି ଦେବାକୁ ଦାବିହୋଇଛି ।
