ଏସସିବିରେ ଇକମୋ ମେଶିନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କଟକ : ଏସ ସି ବି ମେଡିକାଲ କଲେଜ ଓ ହସ୍ପିଟାଲର ହୃଦବକ୍ଷ୍ୟ ଶଲ୍ୟ ବିଭାଗରେ ୯ଗୋଟି ଇକମୋ ମେଶିନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତର ସବୁଠୁ ବଡ଼ ଇକମୋ ୟୁନିଟ ହେଲା ଏସସିବି। ୯ଟି ମେସିନରେ ମାଗଣା ଚିକିତ୍ସା ପାଇବେ ରୋଗୀ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ଓଡ଼ିଶାରେ ହିଁ ଚିକିତ୍ସିତ ହେବେ ରୋଗୀ । ଏହି ଚିକିତ୍ସା ବେଶ ଅର୍ଥ ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇଦେବେ। ଏହି ଚିକିତ୍ସାରେ ଯାହା ବି ଖର୍ଚ୍ଚ ହେବ ଲୋକଙ୍କ ଉପରେ ପଡ଼ିବ ନାହିଁ। ସବୁ ଖର୍ଚ୍ଚ ସରକାର ବହନ କରିବେ। ତୃତୀୟ ଲହରର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ। ଏଥିରେ ଶିଶୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହୁଛନ୍ତି। ତେଣୁ ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପଞ୍ଚାୟତିରାଜ ଓ ପାନୀୟଜଳ,ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା,ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,ଜିଲ୍ଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର,କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ସି ଏମ ସି କମିଶନର ଅନନ୍ୟା ଦାସ, ଡି ଏମ ଇ ଟି ଡ଼ା ସି ବି କେ ମହାନ୍ତି, ଡିନ ଓ ଅଧ୍ୟକ୍ଷ ଡ଼ା ଦତ୍ତେଶ୍ୱର ହୋତା,ଅଧିକ୍ଷକ ଡ଼ା ଲୁସି ଦାସ, ହୃଦବକ୍ଷ୍ୟ ବିଭାଗ ମୁଖ୍ୟ ଡ଼ା ମନୋଜ ପଟ୍ଟନାୟକ, ଡ଼ା ମନୋରଞ୍ଜନ ପଟ୍ଟନାୟକ, ଡ଼ା ସତ୍ୟ ନାରାୟଣ ରାଉତରାୟ,ଡ଼ା ଜୟନ୍ତ ପଣ୍ଡା ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଡାକ୍ତର, ଜିଲାର ପ୍ରଶାସନିକ ଅଧିକାରୀ, ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ୧୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ବୋଷ ଅସ୍ଥାୟୀ ହେଲିପ୍ୟାଡରୁ ତାଳଦଣ୍ଡା କେନାଲ ଦେଇ ଏସସିବି ମେଡିକାଲ ଅଭିମୁଖେ ଆସିଛନ୍ତି ନବୀନ ପଟ୍ଟନାୟକ। ଏହାସହ ତାଳଦଣ୍ଡା କେନାଲ ଦେଇ ଆସୁଥିବାବେଳେ କେନାଲର ନୂତନ ବ୍ରିଜ ପାଖରେ ଅଟକି ଏହାର ଦୃଶ୍ୟ ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏସସିବିରେ ଇକମୋ ମେସିନ ଲୋକାର୍ପଣ କରିବା ସହ ଏକ ଭିଡିଓ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ବାର୍ତ୍ତା ମଧ୍ୟ୍ୟ ଦେଇଛନ୍ତି। ସୂଚନା ଯେ, ପୂର୍ବରୁ ଇକମୋ ଚିକିତ୍ସା ପାଇଁ ରୋଗୀମାନେ ଏୟାରଲିପ୍ଟିଂ ହୋଇ ବାହାରକୁ ଯାଉଥିଲେ। ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିଲା। ଅଧିକାଂଶ ଗରିବ ଓ ମଧ୍ୟବିତ୍ତ ପରିବାର ଏହି ଚିକିତ୍ସା କଥା ଭାବି ପାରୁନଥିଲେ। ଏବେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କଟକରେ ମାଗଣାରେ ଏହି ଚିକିତ୍ସା ମିଳିପାରିବ। ଇକମୋ ଚିକିତ୍ସା ପାଇଁ ଦୁଇଟି ମେଡିକାଲ ଓ ବୈଷୟିକ ଟିମ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି।

