ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ କାର୍ଯ୍ୟ ତଦାରଖ ପାଇଁ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିଜେ ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରୁଛନ୍ତି ଏବଂ ବିଶ୍ୱ ସ୍ତରର ଭିତିଭୂମି ସହିତ ଯାତ୍ରୀ ଅନୁକୂଳ ସୁବିଧା ସହିତ ଏହି ପ୍ରକଳ୍ପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସଠିକ୍ ସମନ୍ୱୟ ସହିତ ନିର୍ମାଣ କାର୍ଯ୍ୟର କାର୍ଯ୍ୟକାରିତା ଉପରେ ସବିଶେଷ ଏବଂ ସଠିକ୍ ଯୋଜନା ପ୍ରତି ଗୁରୁତ୍ୱାରୋପ ଦେବାପାଇଁ ଶ୍ରୀ ସୁନକର ମଧ୍ୟ ଅଧିକାରୀ ମାନଙ୍କୁ କହିଛନ୍ତି । ଏହି ବିକାଶ ପ୍ରକ୍ରିୟାରେ ଅନେକ ସୁବିଧା ପ୍ରଦାନ କରାଯିବାକୁ ଯୋଜନା କରାଯାଇଛି । ନୂତନ ବିଲଡିଂ, ବିସ୍ତୃତ ଚଳପ୍ରଚଳ କ୍ଷେତ୍ର ସହିତ କନକୋର୍ସ, ପ୍ଲାଟଫର୍ମ ଲାଇଟିଙ୍ଗ, ୱେଟିଂ ରୁମ୍, ଏୟାର କନ୍େସାର୍ସ, ପ୍ଲାଟଫର୍ମ ଏବଂ ପ୍ଲାଟଫର୍ମ ଆଶ୍ରୟସ୍ଥଳର ନବୀକରଣ, ଫୁଡ୍ କୋର୍ଟ ଜୋନ୍ ଏବଂ ସପିଂ କ୍ଷେତ୍ର ଏବଂ ବର୍ଜ୍ୟବସ୍ତୁ ପରିଚାଳନା, ଶୌଚାଳୟ, ସବୁ ପ୍ଲାଟଫର୍ମକୁ ଯୋଡିବା ପାଇଁ ଫୁଟ ଓଭର ବ୍ରିଜ ସହିତ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ସହିତ ଯାତ୍ରୀମାନଙ୍କ ଆରାମ ପାଇଁ ବହୁତ ଆବଶ୍ୟକୀୟ ଯାତ୍ରୀ ପରିସେବାକୁ ପ୍ରାଥମିକତା ଦିଆଯାଉଛି । ଏହା ସହିତ ସୁସଜ୍ଜିତ ସେବା ରାସ୍ତା, ଯାନ ପାର୍କିଂ, ଡ୍ରେନ୍, ସାଇନେଜ୍ ଏବଂ ଡିଭାଇଡରର ବ୍ୟବସ୍ଥା ରହିବ । ନୂତନ ବିଲ୍ଡିଂରେ ସୁସଜ୍ଜିତ ସର୍କୁଲାର କ୍ଷେତ୍ର ବ୍ୟତୀତ ଉଚ୍ଚ ମାନକ ଡର୍ମିଟୋରି ଏବଂ ରିଟାୟାରିଙ୍ଗ ରୁମ ରହିବ । ଏହି ବିକାଶ କାର୍ଯ୍ୟରେ ରେଳ ଅଂଶ କାମ ରେଳବାଇ ନିଜେ କରିବ । ଏହି କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ପାଇଁ ରେଳ ମନ୍ତ୍ରଣାଳୟ ୩୦୮ କୋଟି ଟଙ୍କା ମଞ୍ଜୁର କରିଛି । ଏହି ପ୍ରକଳ୍ପକୁ ପୂର୍ବତଟ ରେଳପଥ ନିର୍ମାଣ ବିଭାଗକୁ କାର୍ଯ୍ୟ ସମ୍ପାଦନ ପାଇଁ ନିୟୋଜିତ କରାଯାଇଛି । ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇସାରିଛି ଏବଂ କାର୍ଯ୍ୟ ସଂସ୍ଥା ନିଯୋଜିତ ହୋଇ ସାରିଛି । ପ୍ରକଳ୍ପର ନିର୍ମାଣ ଅବଧି କାର୍ଯ୍ୟ ଆରମ୍ଭରୁ ୨୪ ମାସ ମଧ୍ୟରେ ସମାପ୍ତ କରିବାକୁ ଧାର୍ଯ୍ୟ କରାଯାଇଛି । ଓଡିଶାର ଚାଲିଥିବା ସମସ୍ତ ରେଳ ପ୍ରକଳ୍ପରେ ଜାତୀୟ ଗୁରୁତ୍ୱ ରହିଛି । ରେଳବାଇ ପ୍ରକଳ୍ପଗୁଡିକ ପାଇଁ ସମସ୍ତ ପ୍ରକାର ତଥ୍ୟ /ନିବେଶ ଆଦେଶ ଦିଆଯାଇଛି ।
