ଟ୍ରକକୁ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଯାତ୍ରୀ
ନୟାଗଡ଼: ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମାଇଛେଳି ଜଙ୍ଗଲ ରାସ୍ତାରେ ଦୁର୍ଘଟଣା ଘଟିଛି । ଝାରସୁଗୁଡ଼ାରୁ ଫେରୁଥିବା ସରକାରୀ ବସ୍ ଏକ ଟ୍ରକ୍ କୁ ପଛ ପଟୁ ଧକ୍କା ଦେଇଛି । ସୂଚନା ଅନୁଯାୟୀ ଛତିଶଗଡ଼ର ଏକ ଟ୍ରକ ଖରାପ ଥିବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା । ଝାରସୁଗୁଡ଼ାରୁ ଫେରୁଥିବା ସରକାରୀ ବସ୍ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲା ।
ଫଳରେ କିଛି ସ୍ଥାନୀୟ ଲୋକ ଡ୍ରାଇଭରକୁ ଉଦ୍ଧାର କରି ଅନ୍ୟ ଏକ ବସ୍ ରେ ପଠାଇଥିଲେ । ତେବେ ବସ୍ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଅନ୍ୟପଟେ ୫୭ ନମ୍ବର ଜାତୀୟ ରାଜପଥ ପଞ୍ଚୁପାଣ୍ଡବଠାରୁ ମାଇଛେଳି ଜଙ୍ଗଲ ରାସ୍ତା ମଧ୍ୟରେ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିବାର ଜଣାଯାଇଛି ।
