ଯୁବକଙ୍କୁ ଗୁଳି କରି ହତ୍ୟା, ତଦନ୍ତ କରୁଛି ପୋଲିସ
ନୟାଗଡ଼: ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ ରାସଙ୍ଗ ଗ୍ରାମ ନିକଟସ୍ଥ ପାଟିକଟା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ରାସଙ୍ଗ ଗ୍ରାମର କହ୍ନେଇ ଚରଣ ରାଉତଙ୍କ ପୁଅ ରଜତ ରାଉତ ବୋଲି ଜଣାପଡ଼ିଛି ।
ସୂଚନା ଅନୁୟାୟୀ, ମୃତ ରଜତ ନିଜ ଟ୍ରାକ୍ଟର ନେଇ ପାଟିକଟା ମୁଣ୍ଡିଆକୁ ପଥର ଆଣିବା ପାଇଁ ଯାଇଥିଲେ । ହେଲେ ବହୁ ସମୟ ପରେ ମଧ୍ୟ ସେ ଘରକୁ ଫେରି ନଥିଲେ । ଫଳରେ ପରିବାର ବର୍ଗ ବ୍ୟସ୍ତ ହୋଇଥିଲେ । ଆଖପାଖ ଅଞ୍ଚଳରେ ତାଙ୍କୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ତେବେ କିଛି ଲୋକ ପାଟିକଟା ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ମୃତଦେହ ନିକଟରେ ଏକ ଦେଶୀ ବନ୍ଧୁକ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
