ମହିଳାଙ୍କୁ ବ୍ଲାକ୍ମେଲିଂ : ଲକ୍ଷେ ଟଙ୍କା ମାଗି ଯୁବକ ଗିରଫ
କଟକ : ଜଣେ ବିବାହିତା ମହିଳାଙ୍କୁ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଧମକ ଦେବା ସହ ୧ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶଙ୍ଖେଶ୍ୱର ଗ୍ରାମର ରାମପ୍ରସାଦ ଦାସ(୩୮) । ମିଳିଥିବା ସୂଚନା ମୁତାବକ, ଶଙ୍ଖେଶ୍ୱରର ଦିପ୍ତୀମୟୀ ବେହେରା ଗତ ନଭେମ୍ବର ୨୧ରେ ଜଗତପୁର ଥାନା ଅନ୍ତର୍ଗତ ବହୁଗ୍ରାମର ତୋଫାନ ବେହେରାଙ୍କୁ ବିବାହ କରିଥିଲେ । ଅଭିଯୁକ୍ତ ରାମପ୍ରସାଦ ଦିପ୍ତୀଙ୍କୁ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା । ମାତ୍ର ଦିପ୍ତୀ ଅରାଜି ହେବାରୁ ତା ନିକଟରେ ସେ ପୂର୍ବରୁ ରଖିଥିବା ଫଟୋ ଭାଇରାଲ କରିବାକୁ ଧମକ ଦେବା ସହ ୧ ଲକ୍ଷ ଟଙ୍କା ଦାବି କରିଥିଲା । ଟଙ୍କା ଦେବାକୁ ମନା କରିବାରୁ ରାମପ୍ରସାଦ ଦିପ୍ତୀଙ୍କ ନଗ୍ନ ଫଟୋକୁ ତାଙ୍କ ସ୍ୱାମୀଙ୍କ ମୋବାଇଲ ଫୋନକୁ ପଠାଇ ତା’ର ପାରିବାରିକ ଜୀବନ ନଷ୍ଟ କରିଦେବାକୁ ଚେଷ୍ଟା କରିଥିଲା । ଏହାକୁ ନେଇ ଉଭୟ ପତିପତ୍ନୀ ଚିନ୍ତାଗ୍ରସ୍ତ ଥିଲେ । ଏନେଇ ଗତ ଡିସେମ୍ବର ୨୪ରେ ଦିପ୍ତୀ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୫୪୪/୨୦୨୨ରେ ଆଇପିସି ୨୯୪, ୫୦୬, ଆଇଟି ଆକ୍ଟ ୬୭ ଓ ୬୭(କ)ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଗତକାଲି ରାତିରେ ଅଭିଯୁକ୍ତକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।
