କେନ୍ଦୁଝରରେ ଧରଣୀଧର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟର ବିକାଶରେ କେନ୍ଦୁଝରର ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ : ଚାଷୀ, ମହିଳା ଓ ଯୁବସମାଜ ଆମର ତ୍ରିଶକ୍ତି, ଆମ ପ୍ରଗତିର ସାରଥୀ – ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ୍ କଲେଜ ଓ ହସ୍ପିଟାଲର ଲୋକାର୍ପଣ କରିଛନ୍ତି । ହଜାର ହଜାର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଆନନ୍ଦ ଉଲ୍ଲାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହା ଉଦ୍ଘାଟନ କରି ଯେତେବେଳେ ପଚାରିଲେ ‘ଆପଣମାନେ ଖୁସି ତ ?’ ସେତେବେଳେ ବହୁଗୁଣିତ ଉତ୍ସାହର ସହ ପ୍ରତିଧ୍ୱନିତ ହୋଇଥିଲା ‘ହଁ’ । ତାପରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବି ବହୁତ ଖୁସି । ଏହାପରେ ଧରଣୀଧର କଲେଜ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଘୋଷଣା କରିଥିଲେ । ମୁଖ୍ୟନ୍ତ୍ରୀ ସ୍ୱୟଂ ଏହି ମାନ୍ୟତା ପତ୍ର ପିଲାମାନଙ୍କୁ ଦେବାକୁ ଚାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ । ଆନନ୍ଦ, ଉଲ୍ଲାସ ମଧ୍ୟରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ମାନ୍ୟତାର ନିର୍ଦ୍ଦେଶନାମା ଦେଇଥିଲେ । କେନ୍ଦୁଝରରେ ମେଡିକାଲ୍ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତିଭୂମି ଦିଆଯାଇଛି ଏବଂ ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ଡାକ୍ତର ଅଭାବ ଦୂର ହେବା ସହିତ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ ଏବଂ ଜିଲ୍ଲାବାସୀ ଆଉ କଟକ-ଭୁବନେଶ୍ୱର ଯାଇ ହଇରାଣ ହେବାକୁ ପଡିବ ନାହିଁ ବୋଲି ସେ କହିଥିଲେ । ସବୁ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୀତିରେ ରାଜ୍ୟର ସ୍ୱାସ୍ଥ୍ୟସେବାର ବିକାଶ କରାଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ୮ ଲକ୍ଷ ୩୦ ହଜାର ୭୭୩ ଲୋକ ଉପକୃତ ହୋଇଥିବାବେଳେ ଏଥିପାଇଁ ୧୮୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କେବଳ କେନ୍ଦୁଝରରେ ୨୪ ହଜାର ଲୋକ ଉପକାର ପାଇଛନ୍ତି ଏବଂ ୪୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ପାଇଁ ୪୭୦୩ କୋଟି ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୧୦୩ କୋଟି ଟଙ୍କାର ୧୩୮ଟି ପ୍ରକଳ୍ପ ପାଇଁ ଭିତିଭୂମି ଦିଆଯାଇଥିବାବେଳେ, ୮୬୮ କୋଟି ଟଙ୍କାର ୯୮ଟି ପ୍ରକଳ୍ପ ଉଦ୍ଘାଟନ କରାଯାଇଥିଲା ଏବଂ ୨୭୩୧ କୋଟି ଟଙ୍କାର ୨୩ଟି ନୂଆ ପ୍ରକଳ୍ପ ପାଇଁ ଘୋଷଣା ରହିଛି । ଜିଲ୍ଲାରେ ୧୪,୩୭୨ ମିଶନ ଶକ୍ତି ଗୋଷ୍ଠୀ ଜରିଆରେ ୧.୬୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩୭୮ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି । ବାଂଶପାଳର ବଣପୁଷ୍ପ ସ୍ୱୟଂ ସହାୟକ ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କାର ଋଣ ଚେକ୍ ଆକାରରେ ପ୍ରଦାନ କରିଥିଲେ ଏବଂ ଘସିପୁରାର ବିଜୟା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୫,୭୫୭ ଟଙ୍କାର ସୁଧ ରିହାତି ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା’ମାନେ ରାଜ୍ୟର ସୁନାମ ବୃଦ୍ଧି କରିଛନ୍ତି । ସେମାନଙ୍କୁ ଉଦ୍ୟୋଗୀ କରିବା ମୋର ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ଯେ ଏହି ଅର୍ଥରେ ସେମାନେ ଭଲ ବିଜିନେସ୍ କରି ନିଜର, ନିଜ ପରିବାରର ଓ ନିଜ ଅଂଚଳର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ, ମହିଳା ଓ ଯୁବସମାଜ ଆମ ରାଜ୍ୟର ତ୍ରିଶକ୍ତି । ଏମାନେ ହିଁ ଆମ ରାଜ୍ୟର ପ୍ରଗତିର ସାରଥୀ ଏବଂ ଏକ ବିକଶିତ ଓଡିଶାର ସ୍ୱପ୍ନକୁ ପୂରଣ କରିବାରେ ଏହି ତ୍ରିଶକ୍ତି ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ , ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆ ମେଡିକାଲ୍ କଲେଜର ଅଡିଟୋରିଅମରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍.ପି. ମିତ୍ରଭାନୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ସମାପିତ ହୋଇଥିଲା ।
