ଅଢେଇବାଟିଆ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ
କୋରାଇ : ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତ ଅନ୍ତର୍ଗତ ମହମ୍ମଦ ଜମାଲପୁର(ଅଢ଼େଇବାଟିଆ) ଗ୍ରାମର ଆଦିବାସୀ ବସ୍ତି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପୁନିଆ ମୁର୍ଣ୍ଣାର ସମସ୍ତ ଆସବାସ ପତ୍ର, ଧାନ, ଚାଉଳ ଓ ନଗଦ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି । ଆଜି ମଧ୍ୟାନରେ ପୁନିଆ କାମକୁ ଯାଇଥିବାବେଳେ ତାର ସାନପୁଅ ରୋଷେଇ କରୁଥିଲା । ରୋଷେଇ ଚୁଲିରୁ ନିଆଁ ଉଠି ଘରେ ନିଆଁ ଲାଗିଥିଲା । ଫଳରେ ତିନି ବଖରା ଚାଳଘର ସମ୍ପୂର୍ଣ୍ଣ ଜଳିଯାଇଥିଲା । ଘରେ ବଡ଼ଲୋକ କେହି ନଥିବାରୁ କୌଣସି ଆସବାସପତ୍ର ବାହାର କରିବା ସମ୍ଭବ ହୋଇନଥିଲା । ଖବରପାଇ ଯାଜପୁର ରୋଡ଼ ଓ ବୈତରଣୀ ରୋଡ଼ ଦମକଳ ବାହିନୀ ଘଟଣାସ୍ଥଳେ ପହଂଚିଥିଲେ ହେଁ ସେତେବେଳକୁ ସବୁ କିଛି ପୋଡ଼ି ପାଉଁଶ ହୋଇଥିଲା । ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।
