ବାଇକକୁ ଧକ୍କା ଦେଇ ଓଲଟିଲା ପିକ୍ଅପ୍ : ବାପା-ଝିଅ ମୃତ, ଭ୍ୟାନରୁ କୋବି ଲୁଟିନେଲେ ଲୋକେ
କଟକ : ବାଇକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କାରେ ବାପା ଝିଅଙ୍କ ଜୀବନ ଚାଲିଯାଇଛି। ବୁଧବାର ବିଳମ୍ବିତ ରାତିରେ କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା କାଜିବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ବିଡମ୍ବନାର ବିଷୟ ଏହିକି ଯେ, ଦୁର୍ଘଟଣା ପରେ ଓଲଟି ପଡିଥିବା ପିକ୍ଅପରୁ ସ୍ଥାନୀୟ ଲୋକ କୋବି ଲୁଟି ନେଇଛନ୍ତି। ଆଉ ଏହି ସବୁ ଘଟଣା ପୋଲିସର ଉପସ୍ଥିତିରେ ଚାଲିଥିବା ଦେଖିବାକୁ ମିଳିଛି।
ସୂଚନା ଯେ, ବୁଧବାର ରାତ୍ରି ପ୍ରାୟ ୩ଟା ସମୟରେ ସତ୍ୟଭାମାପୁର ଗ୍ରାମର ଅନୁବ ସାମଲ (୫୯) ଓ ତାଙ୍କ ଝିଅ ଅଞ୍ଜଳି ସ୍ବାଇଁ (୪୦) ବାଇକରେ ରେଳ ଷ୍ଟେସନ ଯାଉଥିଲେ। ଏହି ସମୟରେ କଟକ ପଟୁ ଆସୁଥିବା କୋବି ବୋଝେଇ ପିକପ୍ ଭ୍ୟାନ୍ ସହିତ ତାଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଦେବା ପରେ ଭାରସାମ୍ୟ ହରାଇ ପିକଅପଟି ଓଲଟି ପଡିଥିଲା। ଦୁର୍ଘଟଣାରେ ଅନୁବ ଓ ତାଙ୍କ ଝିଅ ଅଞ୍ଜଳିଙ୍କ ମୃତ୍ୟୁ ହୋଇଛି। ପିକ୍ଅପ୍ ଡ୍ରାଇଭର ସୁରକ୍ଷିତ ଥିବା ଜଣା ପଡିଛି।
ଦୁର୍ଘଟଣା ଖବର ପାଇପାଗା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲା। ପ୍ରଥମେ ଗୁରୁତର ବାପା ଝିଅଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ। ହେଲେ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗାଡ଼ି ଦୁଇଟିକୁ ପୋଲିସ ଜବତ୍ କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ତେବେ ପିକଅପଟି ଦ୍ରୁତ ଗତିରେ କଟକ ପଟୁ ଆସୁଥିଲା, ତେଣୁ ନିୟନ୍ତ୍ରଣ ହରାଇ ବାଇକକୁ ପିଟିଥିବା ସନ୍ଦେହ କରାଯାଉଛି।
ଅନ୍ୟପଟେ ଲୋଭରେ ମଣିଷ ତାର ମାନବିକତା ହରାଇଦେଇଛି। ଦୁର୍ଘଟଣା ଗ୍ରସ୍ତ ପିକ୍ଅପରୁ ସ୍ଥାନୀୟ ଲୋକମାନେ କୋବି ଲୁଟି ନେଇଛନ୍ତି। ସକାଳୁ ବଜାର କରିବାକୁ ଆସିଥିବା ଲୋକମାନେ ସୁଯୋଗ ପାଇଁ ଯିଏ ଯେତିକି ପାରିଲା କୋବି ଉଠାଇ ନେଇଛନ୍ତି। ଘଟଣାସ୍ଥଳରେ ପୋଲିସ ଥିଲେ ମଧ୍ୟ ଲୋକେ ସେମାନଙ୍କୁ ଖାତିରି କରୁନଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ବଜାରରେ ପରିବା ଦର ଆକାଶ ଛୁଆଁ ରହିଛି। କୋବି କିଲୋ ୬୦ରୁ ୮୦ ଟଙ୍କା ରହିଥିବା ବେଳେ ତାହାକୁ ମାଗଣାରେ ପାଇ ଲୋକମାନେ ମନ ଭରି ଘରକୁ ନେଇଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହଁ, ମାଛ, ଆଳୁ, ଟମାଟୋ, ମଦ, ତେଲ ଟେଙ୍କର ଦୁର୍ଘଟଣା ବେଳେ ମଧ୍ୟ ଲୋକେ ହାତ ସଫା କରିବାକୁ ଭୁଲିନାହାନ୍ତି।
