ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସମାନ୍ତରାଳ ଭାବେ ହେଲା ମାଲ୍ୟାର୍ପଣ, ପଦାରେ ପଡ଼ିଲା ନୀଳଗିରି ବିଜେଡିର ଅର୍ନ୍ତଦ୍ୱନ୍ଦ
ନୀଳଗିରି : ରାଜ୍ୟରେ ପ୍ରବାଦ ପୁରୁଷଙ୍କ ୧୦୮ତମ ବିଜୁ ଜୟନ୍ତୀ ପାଳନ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଝୁରୁଥିବା ବେଳେ ନୀଳଗିରି ବିଜେଡି ଶିବିରରେ ଯେତିକି ଉତ୍ସାହ ଥିଲା ସେତିକି ନିରାଶା ବି ଝଲସୁ ଥିଲା ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ନୀଳଗିରି ବାଇପାସ୍ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ନୀଳଗିରି ବିଜେଡି ବ୍ଲକ ସଭାପତି ବିଜୟ ଲେଙ୍କାଙ୍କ ନେତୃତ୍ୱରେ ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଆଦିବାସୀ ନାରୀ ନେତ୍ରୀ ତଥା ରାଜ୍ୟ ବିଜୁ ମହିଳା ଦଳର ଉପ-ସଭାପତି ସୁନିତି ସିଂ ଓ ଯୁବନେତା ଉଦୟଜ୍ୟୋତି ମହାନ୍ତି, ଜଳଧର ନାୟକ, ଧୀରେନ୍ଦ୍ର ମୁଦୁଲି, ରମେଶ ବାଗ, ମନୀଷ ପରିଡା ପ୍ରମୁଖ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ବେଳେ ବହୁ ବିଜୁପ୍ରେମୀ ଉପସ୍ଥିତ ଥିଲେ ।

କିଛି ସମୟ ପରେ ସମାନ ପ୍ରତିମୂର୍ତ୍ତିରେ ଜିଲା ବରିଷ୍ଠ ବିଜେଡି ଉପ-ସଭାପତି ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ସମାନ୍ତରାଳ ଭାବେ ମାଲ୍ୟାର୍ପଣ କରିଥିଲେ । ମାଲ୍ୟାର୍ପଣ କାର୍ଯକ୍ରମ ସରିବା ପରେ କେସିହାଇସ୍କଲ ପଡ଼ିଆରେ ବିରାଟ ସଭାର ଆୟୋଜନ ହୋଇଥିଲା । ସଭାରେ ଜିଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବାଲେଶ୍ୱର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଦନ ମୋହନ ମାଝୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଅମର ପଟ୍ଟନାୟକ, ଶିଶିର ରାଉତ, ସବ୍ୟସାଚୀ ମହାପାତ୍ର, ଶରତ ଦାସ ପ୍ରମୁଖ ଉପସ୍ତିତ ଥିଲେ । ତେବେ ସବୁ ପରେ ନୀଳଗିରି ଜନସାଧାରଣ ଭୋଟର ଏବଂ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଏସବୁ ଦେଖି ଆଗାମୀ ନିର୍ବାଚନରେ ବିଜେଡି ଦଳର ଗତି କୁଆଡ଼େ ବୋଲି ସନ୍ଦିହାନ ହେଲେଣି ।
